ଅନୁଗୁଳ: ଅନୁଗୁଳ ଏବେ ଅଶାନ୍ତ। ବିଗିଡ଼ିଗଲାଣି ଆଇନ ଶୃଙ୍ଖଳା। ଗଳି କନ୍ଦିରେ ମିଳୁଛି ଡ୍ରଗସ୍। କଥା କଥାରେ ବୁଲୁଛି ଖଣ୍ଡା, ଫୁଟୁଛି ଗୁଳି। ବାହାର ଜିଲ୍ଲାରୁ ଆସି ସହର ଭିତରେ ଡକାୟତି ଯୋଜନା କରୁଛନ୍ତି ଦୁର୍ବୃତ୍ତ। ପ୍ରତି ସପ୍ତାହରେ ଜବତ ହେଉଛି ପୁଳା ପୁଳା ବ୍ରାଉନ ସୁଗାର୍, ହେରୋଇନ୍। ତଥାପି ଅପରାଧରେ ଲାଗୁନି ରୋକ।
ଅକ୍ଟୋବର ୨ରେ ଆମ୍ବୁଲାନ୍ସ ଭଡ଼ା କଥା କଟାକଟିକୁ ନେଇ ହତ୍ୟାକାଣ୍ଡ। ବିଳମ୍ବିତ ରାତିରେ ଦୁଇ ପକ୍ଷ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ। ଭୁଜାଲି ମାଡ଼ରେ ଆହତ ହେଇଥିବା ଦୁଇ ଭାଇଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ।
ସେହିପରି ନଭେମ୍ବର ୨୫ରେ ଅନୁଗୁଳ ସହରରେ ଡକାୟତି ପାଇଁ ଯୋଜନା କରୁଥିବା ୩ ଡକାୟତକୁ ଗିରଫ କଲା ଅନୁଗୁଳ ପୋଲିସ। ଖୋର୍ଦ୍ଧା ଓ ବୋଲଗଡ଼ ଅଞ୍ଚଳର ୫ ଜଣ ଡକାୟତ ତୁରଙ୍ଗ ପଡ଼ିଆରେ ଡକାୟତି ଯୋଜନା କରୁଥିବା ବେଳେ ଚଢ଼ାଉ କରିଥିଲା ଅନୁଗୁଳ ଥାନା ପୋଲିସ। ସେମାନଙ୍କ ଠାରୁ ପୋଲିସ ଗୋଟିଏ ପିସ୍ତଲ, ଗୋଟିଏ ଖଣ୍ଡା, ୩୨ ଗ୍ରାମ ବ୍ରାଉନ ସୁଗାର, ଗୋଟିଏ କାର, ଦୁଇଟି ବାଇକ ସହ ୪ଟି ମୋବାଇଲ ଓ ମଦ ବୋତଲ ଜବତ କରିଥିଲା।
ଅନ୍ୟପଟେ ଡିସେମ୍ବର ୧୦ରେ ଅନୁଗୁଳ ଶିକ୍ଷକପଡ଼ା ଇକୋ ପାର୍କ ସମ୍ମୁଖରେ ରାସ୍ତାକୁ ବସ୍ ଧୂଆ ପାଣି ବହିଯିବାରୁ ବସ ହେଲ୍ପର ସହ ଝଗଡ଼ା କରିଥିଲେ ରାସ୍ତାରେ ଯାଉଥିବା କିଛି ସ୍ଥାନୀୟ ଯୁବକ। ବସକୁ ଲିଜରେ ନେଇଥିବା ଜଣେ ବ୍ୟକ୍ତି ଓ ତାଙ୍କ ବନ୍ଧୁ ଏଥିରେ ହସ୍ତକ୍ଷେପ କରିବାରୁ ଅଭିଯୁକ୍ତମାନେ ଉତକ୍ଷିପ୍ତ ହୋଇ ଅନ୍ୟ ସହଯୋଗୀଙ୍କୁ ଡାକି ଲୁହା ରଡ଼ ସାହାଯ୍ୟରେ ବସ କାଚ ଭାଙ୍ଗିବା ସହ ବସ ଲିଜ ଧାରୀଙ୍କୁ ମାଡ ମାରି ଆହତ କରିଥିଲେ। ତାଙ୍କ ବନ୍ଧୁଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇ ଯାଇଥିଲେ। ଏ ଘଟଣାରେ ଗତକାଲି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ଅନୁଗୁଳ ପୁଲିସ। ଏସବୁ ଘଟଣାରୁ ସ୍ପଷ୍ଟ ହୋଇଛି ଯେ ଏବେ ପୋଲିସ କଠୋର ହେବା ସମୟ ଆସିଛି।