ମୁଖ୍ୟ ଖବର

ସାତକୋଶିଆ ଗଣ୍ଡରେ କୁମ୍ଭୀର ଗଣନା ଆରମ୍ଭ: ୮ ଯାଏଁ ଚାଲିବ ଗଣନା କାର୍ଯ୍ୟ

By Angul TV Bureau

January 07, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଗଣ୍ଡରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି। ବନ ବିଭାଗର ସୂଚନା ଅନୁଯାୟୀ, ଏହି ଗଣନା କାର୍ଯ୍ୟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଥିବା ୫ଟି ବନାଞ୍ଚଳରେ ଏହି ଗଣନା କରାଯିବ। ଏଥିପାଇଁ ୧୪ଟି ୟୁନିଟ୍ ଗଠନ କରାଯାଇଛି ଏବଂ ପ୍ରତି ୟୁନିଟ୍‌ରେ ୫ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି। ସାତକୋଶିଆ ବନଖଣ୍ଡ, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଓ ଆଠମଲ୍ଲିକ ବନଖଣ୍ଡର ଟିକରପଡାରୁ ବିନିକେଇ, ବିନିକେଇରୁ ପତାକା, ଟିକରପଡାରୁ କଟରଙ୍ଗ, କଟରଙ୍ଗରୁ ବାଲିପୁଟ, ବାଲିପୁଟରୁ ଚକ୍ରଗଡ଼, ସେହିପରି ଆଠମଲ୍ଲିକର ହରଭଙ୍ଗାରୁ ଅଏଡା, ଲୁଣାହାଣ୍ଡି, ବେଲପୁଞ୍ଜି ମଠ, ଶିଶୁ ପଥର ଡ୍ୟାମ ସମେତ ଆଖପାଖର ବିଭିନ୍ନ ଜଳାଶୟରେ ଏହି ଗଣନା ଆରମ୍ଭ କରା‌ଯାଇଛି। ଗତବର୍ଷ ଗଣନା ବେଳେ, ମୋଟ ୯୭ଟି ମଗର ଓ ୧୮ଟି ଘଟିଆଳ କୁମ୍ଭୀର ଚିହ୍ନଟ ହୋଇଥିବା ବେଳେ ଏବର୍ଷ ତାହା କେତେ ସଂଖ୍ୟାରେ ବୃଦ୍ଧି ପାଇଛି ଗଣନା ପରେ ଜଣାପଡିବ ବୋଲି ଆରସିସିଏଫ ସଞ୍ଜୟ ସ୍ୱାଇଁ ପ୍ରକାଶ କରିଛନ୍ତି।‌ ଏନେଇ ବନବିଭାଗ ପକ୍ଷରୁ ମୋବାଇଲ ଟ୍ରାକିଂ, ଜିପିଏସ, ବାଇନାକୁଲାର୍ ଓ ସ୍ବତନ୍ତ୍ର କ୍ୟାମେରା, ଏବଂ ଖାତା ପେନ୍ ର ବ୍ୟବସ୍ଥା କରାଯାଇଛି ବୋଲି ସାତକୋଶିଆ ବନଖଣ୍ଡ ଅଧିକାରୀ ଗଦାଧର ପାତ୍ର ସୂଚନା ଦେଇଛନ୍ତି।