ମୁଖ୍ୟ ଖବର

ସକ୍ରିୟ ସାଇବର ଅପରାଧୀ ଯୁବକଙ୍କ ଆକାଉଣ୍ଟରୁ ୨.୮୯ ଲକ୍ଷ ଲୁଟିନେଲେ

By Angul TV Bureau

December 19, 2020

ଅନୁଗୁଳ: ଜିଲ୍ଲାରେ ମାତିଛନ୍ତି ସାଇବର ଅପରାଧୀ। କେତେବେଳେ ଫେସବୁକ୍‌ ହ୍ୟାକ୍‌ କରି ଟଙ୍କା ଲୁଟି ନେଉଛନ୍ତି ତ ଆଉ କେତେବେଳେ ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍ସନ୍‌ ବେଳେ ଆକାଉଣ୍ଟ ଖାଲି କରି ଦେଉଛନ୍ତି। ଦଶଦିନ ତଳେ ଅନୁଗୁଳ ଥାନାରେ ୨ଟି ସାଇବର ଠକେଇ ହୋଇଥିଲା। ପୁଲିସ୍‌ ଏହାର ଥଳକୂଳ ପାଇନଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଆଉ ଏକ ବଡ଼ ଧରଣର ସାଇବର ଠକେଇ ହୋଇଛି। ସାଇବର ଲୁଟେରା ଜଣେ ଯୁବକଙ୍କ ଆକାଉଣ୍ଟରୁ ୨ ଲକ୍ଷ ୮୯ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଲୁଟ୍‌ର ଶିକାର ହୋଇଥିବା ଯୁବକ ହେଲେ ରିତେଶ ଶ୍ରୀବାସ୍ତବ। ସେ ଅନୁଗୁଳ ସହର ଉପକଣ୍ଠ ଗୀତାଗ୍ରାମରେ ଭଡ଼ାରେ ରହୁଛନ୍ତି। ଏକ ଘରୋଇ ଶିଳ୍ପସ˚ସ୍ଥାରେ ଚାକିରି କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ହଠାତ୍‌ ରିତେଶଙ୍କ ଜିଓ ନମ୍ବର ଅଚଳ ହୋଇଯାଇଥିବା ମେସେଜ୍‌ ଆସିଥିଲା। ତତ୍‌କ୍ଷଣାତ୍‌ ଏକ ଅଜଣା ନମ୍ବରରୁ ଫୋନ୍‌ ଆସିଥିଲା। ତୁରନ୍ତ ଜିଓ ଆପ୍‌ ଜରିଆରେ ଜିଓ ନମ୍ବରରେ ୨୦ ଟଙ୍କା ରିଚାର୍ଜ କରିବାକୁ ସାଇବର ଠକ ନିର୍ଦ୍ଦେଶ ଦେଇଥିଲା। ରିଚାର୍ଜ ସହ ମୋବାଇଲ୍‌ରେ କ୍ବିକ୍‌ ସପୋର୍ଟ ଆପ୍‌ ନାମକ ଏକ ଆପ୍‌ ଇନ୍‌ଷ୍ଟାଲ୍‌ କରିବାକୁ କହିଥିଲା। ଏହି ଆପ୍‌ ଡାଉନ୍‌ଲୋଡ୍‌ କରିବାର କିଛି ସମୟ ପରେ ରିତେଶଙ୍କ ଦୁଇଟି ଆକାଉଣ୍ଟରୁ ଯଥାକ୍ରମେ ଲକ୍ଷେ ୨୯ ହଜାର ଓଲକ୍ଷେ ୪୯ ହଜାର କଟି ଯାଇଥିଲା। ଆଖି ପିଛୁଳାକେ ଆକାଉଣ୍ଟ ଖାଲି ହୋଇଯିବା ଦେଖି ରିତେଶଙ୍କ ପାଦତଳୁ ମାଟି ଖସି ଯାଇଥିଲା। ସେ ଏନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ଏ ସ˚କ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।