ଘଟଣା ଓ ଦୁର୍ଘଟଣା

ଅଣ୍ଡା ଯୋଗାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଲୁଟିଲେ ସାଇବର ଲୁଟେରା

By Angul TV Bureau

September 30, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗାଁର ଜଣେ ଅଣ୍ଡା ବ୍ୟସାୟିଙ୍କୁ ଅଣ୍ଡା ଯୋଗାଇଦେବାକୁ କହି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା।

ସୂଚନା ଯେ, ଗାଁର ଦୁର୍ଯ୍ୟୋଧନ ପ୍ରଧାନଙ୍କ ଗ୍ରୋସରୀ ଦୋକାନ ଅଛି। ତେଣୁ ଅନ୍ଲାଇନ୍ରେ ଅଣ୍ଡା ଯୋଗାଇ ଦେବାକୁ ତାଙ୍କ ପାଖକୁ ପ୍ରାୟ ୧୦ ଜଣ ଲୋକ ଫୋନ୍ କରିଥିଲେ। ସେଥିମଧ୍ୟରୁ ଜଣେ ବ୍ୟକ୍ତି ତାଙ୍କ ସମସ୍ତ ଦଲିଲ ହ୍ଵାଟ୍ସ ଆପ୍ ରେ ଫଠାଇଥିଲେ। ଦୁର୍ଯ୍ୟୋଧନ ମଧ୍ୟ ତାଙ୍କର ସମସ୍ତ ଦଲିଲ ପଠାଇଲେ। ୫ଶହ ପେଟିର ଅର୍ଡର ଦେଲେ। ଯାହାର ମୂଲ୍ୟ ୩ ଲକ୍ଷ ୧୫ ହଜାର ଟଙ୍କା। ତେଣୁ ଏହାର ଶତକଡ଼ା ୨୦ ପ୍ରତିଶତ ଆଗୁଆ ପଠାଇବାକୁ ପଡ଼ିବ। ସେଥିପାଇଁ ସାଇବର ଠକ ଏକ ଏକାଉଣ୍ଟ ନମ୍ବର ଦେଲେ। ସେଥିରେ ଦୁର୍ଯ୍ୟୋଧନ ଶତକଡ଼ା ୨୦ ପ୍ରତିଶତ ହିସାବରେ ୬୩ ହଜାର ଟଙ୍କା ଏକାଉଣ୍ଟରୁ ଠକ ଏକାଉଣ୍ଟକୁ ପଠାଇଲେ। ଟଙ୍କା ପାଇଲେ ବୋଲି ଠକ ଜଣାଇଲେ। ଯେଉଁ ଗାଡ଼ିରେ ଅଣ୍ଡା ପଠାଯିବ ତାହାର କାଗଜପତ୍ର ପଠାଇଲେ। ଏହାର ଗୋଟିଏ ଦିନପରେ ଠକ ଫୋନ୍ କରିଲେଯେ କମ୍ପାନୀର ନିୟମ ଅନୁସାରେ ଆଉ ଶତକଡ଼ା ୩୦ ପ୍ରତିଶତ ଦେଲେ ଗାଡ଼ି ଘରେ ମାଲ ଦେବ। ଏହାପରେ ଦୁର୍ଯ୍ୟୋଧନ ପୁଣି ୧ ଲକ୍ଷ ଟଙ୍କା ବ୍ୟାଙ୍କ ଟ୍ରାନ୍ସଫର କରିଲେ। ଠକ ଜିଏସ୍ଟି ବିଲ ମଧ୍ୟ ପଠାଇଲା। ଏହାର ଘଣ୍ଟାକପରେ ଠକ ପୁଣି ଫୋନ୍କରି ଆଉ ୧ ଲକ୍ଷ ୨୦ ହଜାର ଟଙ୍କା ପଠାଇବାକୁ କହିଲା। ଏଥିରୁ ଦୁର୍ଯ୍ୟୋଧନ ଠକେଇର ଶିକାର ହୋଇଥିବା ସନ୍ଦେହ କରିଲେ। ଏଣୁ ଦୁର୍ଯ୍ୟୋଧନ ଏ ନେଇ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।