ମୁଖ୍ୟ ଖବର

ସାଇବର ଠକକୁ ସିନିଅର ସିଟିଜେନ ମାଡିବସିଲେ

By Biswaranjan Pattnaik

May 27, 2023

ଅନୁଗୁଳ: ଅମଲାପଡାରେ ଗ୍ରୋସେରି ଦୋକାନ ଦେଇଥିବା ଜଣେ ସିନିଅର ସିଟିଜେନ ଆଜି ଦିନ ପ୍ରାୟ ଗୋଟାଏ ବେଳେ ଜଣେ ଠକ ଯୁବକକୁ କୌଶଳ କ୍ରମେ ଧରିବା ସହ ଥାନାରେ ଦେଇଥିଲେ। ଗତ ଶୁକ୍ରବାର ଦିନବେଳା ଉକ୍ତ ଯୁବକ ରାସନ ଦୋକାନୀ ପ୍ରସନ୍ନ ଦାସଙ୍କୁ ଡାକ୍ତରଖାନାରେ ରୋଗୀ ପଡିଛି,୨୦୦୦ ଟଙ୍କା ଫୋନ ପେ’ରେ ଦଉଚି,କ୍ୟାସ ଦିଅନ୍ତୁ ବୋଲି କହିବାରୁ ପ୍ରସନ୍ନ ପେମେଣ୍ଟ ସକସେସଫୁଲ ଦେଖି କ୍ୟାସ ଦେଇଦେଲେ। କିନ୍ତୁ ଗୋଟେ ମିନିଟ ପରେ ଦେଖିଲେ ପଇସା ଆସିନୀ,ମେସେଜ ଡିଲିଟ ହୋଇଯାଇଛି। ପ୍ରସନ୍ନ ବାବୁ ମୁଣ୍ଡରେ ହାତ ଦେଇ ବସିଲେ। ତେବେ ଠକ ଯୁବକ ଜଣକର ଲୋଭ ବଢିବାରୁ ଆଜି ଆଉ ଜଣେ ସାଙ୍ଗ ଧରି ପ୍ରସନ୍ନ ବାବୁଙ୍କ ଦୋକାନରେ ସ୍ୱର ବଦଳାଇ ପୁଣି କାଲି ଭଳି ୫୦୦୦ ହଜାର ଟଙ୍କା ମାଗିଲେ। ଆଜି କିନ୍ତୁ ପାଟି ଓ ନାକରେ ଗାମୁଛା ଗୁଡ଼ାଇ ଆସିଥିଲେ। ପ୍ରସନ୍ନ ବାବୁ ଆଜି କିନ୍ତୁ ଠକକୁ ଚିନ୍ହି ପାନେ ଦେବା ପାଇଁ ଯୋଜନା କଲେ। ଠକକୁ ଫୋନ ପେ’ରେ ପଇସା ପଠାଇବାକୁ କହି ଅତର୍କିତ ଭାବେ ପଛ ପଟୁ ମାଡି ବସିଲେ। ମୁହଁରେ ଥିବା ଗାମୁଛା ମଧ୍ୟ ଧରିବାକୁ ସୁବିଧା ହେଲା। ଉଭୟଙ୍କ ମଧ୍ୟରେ ଗଡା ତଡା ଓ ପାଟି ଶୁଣି ବାଟୋଇ ଜମା ହୋଇଗଲେ ଏବଂ ଠକକୁ ବାନ୍ଧି ନିସ୍ତୁକ ପିଟିଲେ। ମାଡ ଦେଖି ଅନ୍ୟ ଯୁବକ ଫେରାର ହୋଇ ଯାଇଥିବା ବେଳେ ପୋଲିସ ଖବର ପାଇ ଯୁବକକୁ ଥାନାକୁ ନେଇଯାଇଥିଲେ। ଖବର ପାଇ ଠକର ବାପା ଭୁଲ ମାଗି ପ୍ରସନ୍ନଙ୍କୁ ଦୁଇ ହଜାର ଫେରାଇ ଥିଲେ। ତେବେ ଶେଷରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ହୋଇଯାଇଥିଲା।