ମୁଖ୍ୟ ଖବର

ପ୍ରଦୂଷଣମୁକ୍ତ ଅନୁଗୁଳ ଦାବି ନେଇ ସ୍ବେଚ୍ଛାସେବୀଙ୍କ ସାଇକଲ ଶୋଭାଯାତ୍ରା

By Biswaranjan Pattnaik

January 16, 2025

ଅନୁଗୁଳ: ବୁଧବାର ସକାଳ ଆଠଟା ସମୟରେ ଅନୁଗୁଳର ୧୭ ଜଣ ଯୁବ ସ୍ବେଛାସେବୀ ପ୍ରଦୂଷଣମୁକ୍ତ ଅନୁଗୁଳ ଦାବି ନେଇ ଭୁବନେଶ୍ୱର ଯାତ୍ରା ଆରମ୍ଭ କରିଛନ୍ତି। ଜଗନ୍ନାଥ ମନ୍ଦିର ସମ୍ମୁଖରେ ବିଶିଷ୍ଟ ସମାଜସେବୀ କ୍ରିଷ୍ଣା ମହାନ୍ତି ନଡ଼ିଆ ଫଟାଇ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଗତ କିଛି ବର୍ଷ ଧରି ଅନୁଗୁଳ ଜିଲାରେ ଖଣି ଖାଦାନ ବଢ଼ି ଚାଲିଛି। ବଡ଼ବଡ଼ ଶିଳ୍ପ ସ୍ଥାପନ ହେଇଛି। ଏହାଦ୍ୱାରା ଏହି ଅଞ୍ଚଳର ମାଟି ପାଣି ପବନ ବିଷାକ୍ତ ହେଲାଣି। ପବନରେ କାରବନ ଡ଼ାଇ ଅକ୍ସାଇଡ, କାରବନ ମନୋକ୍ସାଇଡ ବାଷ୍ପ ସାଙ୍ଗକୁ ପାଣିରେ ମଧ୍ୟ କ୍ଷତିକାରୀ ପଦାର୍ଥ ରହିଛି। ଏହାଦ୍ୱାରା ଅନୁଗୁଳ ବାସୀଙ୍କ ସ୍ୱାସ୍ଥ୍ୟହାନି ଘଟୁଛି ଏବଂ ସେମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଣୁ ଜିଲ୍ଲାରେ ବ୍ୟାପକ ବୃକ୍ଷରୋପଣ କରାଯିବା, ଅଧିକ ଖଣି ଖାଦାନକୁ ଜିଲ୍ଲାରେ ଅନୁମତି ନଦେବା ଏବଂ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ଅନୁଗୁଳ ମେଡିକାଲକୁ ଅଧିକ ଡାକ୍ତର ଦେବା ଆଦି ଦାବିରେ ଅନୁଗୁଳ ସ୍ବେଚ୍ଛାସେବୀ ମାନେ ଏକ ସାଇକଲ ଶୋଭାଯାତ୍ରାରେ ଭୁବନେଶ୍ୱର ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିବେ। ସ୍ବେଚ୍ଛାସେବୀ ପର୍ଶୁରାମ ଦାଶ,ପ୍ରତାପ ମହାପାତ୍ର, ଆଦ୍ୟାଶ୍ଳୋକ ମିଶ୍ର, ମୋତିଲାଲ ଆର୍ଯ୍ୟ ଆଦି ସ୍ବେଚ୍ଛାସେବୀ ମାନେ ନେତୃତ୍ୱ ନେଉଛନ୍ତି। ଆଜି ସେମାନେ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଯୋଗଗୁରୁ ଅଭୟ ରାୟ,କାଉନସିଲର ସରିତା ମିଶ୍ର, ବ୍ରହ୍ମଜ୍ୟୋତି ମିଶ୍ର ଓ ସହର ବହୁ ବୁଦ୍ଧିଜୀବୀ ସ୍ବେଛାସେବୀ ଦଳକୁ ଶୁଭେଚ୍ଛା ଜଣାଇଥିଲେ।