ଅନୁଗୋଳ: ଜାତୀୟ ରାଜପଥ-୫୫ ବାଇପାସ ସରଧାପୁର ନିକଟ ଏକ ଆମ୍ବତୋଟାରେ ଡକାୟତି ଯୋଜନା କରୁଥିବା ୬ ଜଣ ଯୁବକଙ୍କୁ ଅନୁଗୋଳ ସଦର ଥାନା ପୋଲିସ ଗିରଫ କରିଛି।ଗତ ରାତିରେ ପାଟ୍ରୋଲିଂ ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଏହି ଚଢ଼ାଉ କରିଥିଲା। ଟ୍ରକ୍ ଚାଳକ ଏବଂ କରଡାଗଡ଼ିଆସ୍ଥିତ ଏକ ପେଟ୍ରୋଲ ପମ୍ପକୁ ଟାର୍ଗେଟ କରି ଏହି ଅପରାଧର ଯୋଜନା କରାଯାଉଥିଲା।
ଧରାପଡ଼ିଥିବା ଅଭିଯୁକ୍ତମାନେ ହେଲେ ରାଜନ ଓରଫ ପୂର୍ଣ୍ଣଚନ୍ଦ୍ର ନାହାକ, ନାଗା ଓରଫ ସୋମେଶ ମହାପାତ୍ର, ଛେଣ୍ଟୁ ଓରଫ ମୋହନ ନାଏକ, ରାକେଶ ନାଏକ, ରାହୁଲ ନାଏକ ଏବଂ ଅମୂଲ୍ୟ ନାଏକ।ସେମାନଙ୍କ ନିକଟରୁ ୨ଟି ମୋଟରସାଇକେଲ, ୨ଟି ଖଣ୍ଡା, ୨ଟି ଲୁହା ରଡ଼, ୬ଟି କଳା ମୁଖା, ୨ଟି ମୋବାଇଲ ଏବଂ ମଦ ବୋତଲ ଜବତ କରାଯାଇଛି।
ଏହି ଘଟଣାରେ ଅନୁଗୋଳ ସଦର ଥାନାରେ କେସ୍ ନଂ-୫୯୫/୨୦୨୬ ଅନୁଯାୟୀ ମାମଲା ରୁଜୁ ହୋଇଥିବାବେଳେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ କୌଣସି ଅପରାଧରେ ସେମାନଙ୍କ ସମ୍ପୃକ୍ତି ଅଛି କି ନାହିଁ, ସେ ନେଇ ତଦନ୍ତ ଜାରି ରହିଛି ବୋଲି ଆଇଆଇସି ସତ୍ୟବ୍ରତ ରାଉତ ସୂଚନା ଦେଇଛନ୍ତି।