ଅନୁଗୁଳ: ସ୍ଥାନୀୟ ରାଣୀ ଗୋଡା ଶାଖା ଡାକ ଘରେ ଡାକ ମେଳା ଅନୁଷ୍ଠିତ ହୋଇଛି। ଢେଙ୍କାନାଳ ମଣ୍ଡଳର ଡାକ ଅଧୀକ୍ଷକ ଜଗଦୀଶ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଡାକ ମେଳାରେ ସ୍ଥାନୀୟ ସରପଞ୍ଚ ପ୍ରକାଶ ଚନ୍ଦ୍ର ଦେହୁରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ତାପଜ ପାଣି, ଗ୍ରାମ ସଭାପତି ରମେଶ ଚନ୍ଦ୍ର ସାହୁ, ଅନୁଗୁଳ ଶାଖାର ଆଇପିପିବି ମ୍ୟାନେଜର ସୁଜିତ୍ ନନ୍ଦ, ସ୍ୱଳ୍ପ ସଞ୍ଚୟ ଅଧିକାରୀ ଜଗନ୍ନାଥ ସେନାପତି, ପୂର୍ବ ଉପମଣ୍ଡଳ ସହ ଅଧୀକ୍ଷକ ଟିକନ କୁମାର ଦେବତା, ପିଟିସି ଉପ-ଡାକପାଳ ଗୋପୀନାଥ କର, ମୁଖ୍ୟ ଡାକଘରର ଡାକପାଳ ମମତା ପଣ୍ଡା ଯୋଗ ଦେଇଥିଲେ।
ଶାଖା ଡାକପାଳ ଶୁଭଙ୍କର ସାହୁ ଅତିଥିଙ୍କୁ ସ୍ଵାଗତ କରିଥିବା ବେଳେ ସହ ଅଧୀକ୍ଷକ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଶାଖା ଡାକପାଳଙ୍କୁ ସମ୍ମାନିତ କରାଯାଇଥିଲା। ଏ ଅବସରରେ ଡାକ ମେଳାର ଲକ୍ଷ୍ୟ ଏବଂ ବିଭିନ୍ନ ଯୋଜନାଗୁଡିକ ବିଷୟରେ ସୂଚନା ଦିଆଯାଇଥିଲା।
ଡାକ ମେଳାରେ ବିଭିନ୍ନ ଅଙ୍ଗନବାଡି କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀ, ଆଶା କର୍ମୀ, ମିଶନ ଶକ୍ତି ସଦସ୍ୟ, ବରିଷ୍ଠ ନାଗରିକ, ସ୍ଥାନୀୟ ସମସ୍ତ ଗ୍ରାମ ଶାଖା କର୍ମଚାରୀଙ୍କ ସହ ପ୍ରାୟ ୧୨୦ ରୁ ଅଧିକ ଲୋକ ଯୋଗ ଦେଇଥିଲେ। ଏହି ମେଳାରେ ଛୋଟ ପିଲାଙ୍କ ଆଧାର, ଆଧାର ସହ ମୋବାଇଲର ସଂଯୋଗୀ କରଣ ସହ ବିଭିନ୍ନ ନୂଆ ସଞ୍ଚୟ ଖାତା ଓ ବୀମା କରାଯାଇଥିଲା।