ଅନୁଗୁଳ: ଅନୁଗୁଳ ସଧର ଥାନା ଅଞ୍ଚଳରେ ଡ଼କାଏତି ଯୋଜନା କରୁଥିବା ବେଳେ ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଦେଶୀ ପିସ୍ତଲସହ ୪ ଜଣଙ୍କୁ ଗିରଫ କରିଛି। ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ପାଟ୍ରୋଲିଂ କରୁଥିବା ସଦର ଥାନା ପୋଲିସର ଏକ ଦଳ ଅନୁଗୁଳ ବନ୍ତଳା ରାସ୍ତାର ଶରଧାପୁର ଓଭର ବ୍ରିଜ ନିକଟ ଏକ ଆମ୍ବ ବଗିଚାଠାରେ ପହଞ୍ଚିଥିଲା। ସେଠାରେ ୫ ଜଣ ବସିଥିବା ଦେଖିବାକୁ ମିଳିଥିଲା। ତେବେ ପୋଲିସକୁ ଦେଖି ସେମାନେ ଦୌଡ଼ିଥିଲେ। ପୁଲିସ ସେମାନଙ୍କ ପଛାକରି ୪ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା।
ସେମାନେ ହେଲେ ବଲାସିଂହା ଗାଁର ବିଜୁ ଓରଫ ପ୍ରଦ୍ୟୁମ୍ନ ବାରିକ(୨୨), ଲିଙ୍ଗରାଯୋଡ଼ି ଗାଁର ଲିଟନ୍ ପଟ୍ଟନାୟକ(୨୫), ଛେଳିପଡ଼ା ଗାଁର ବୁବୁ ଓରଫ ଭବାନୀ ଶଙ୍କର ଭଞ୍ଜ(୩୦) ଓ ସୋମ୍ୟପ୍ରକାଶ ମହାକୁଡ଼(୨୩)। ସେମାନଙ୍କ ଠାରୁ ୨ଟି ଚୋରା ମୋଟର ସାଇକେଲ, ଗୋଟିଏ ଦେଶୀ ପିସ୍ତଲ, ଖଣ୍ଡା, ଭୂଜାଲୀ, ଲୁହା ଛଡ଼, ଲୁହା ପଞ୍ଚ ଆଦି ଜବତ କରାଯାଇଛି। ବନ୍ତଳା ଅନୁଗୁଳ ରାସ୍ତାରେ ଡ଼କାଏତି କରିବାକୁ ସେମାନେ ଏଠାରେ ଯୋଜନା କରୁଥିବା ପୋଲିସ ଆଗରେ ପ୍ରକାଶ କରିଛନ୍ତି। ଏ ନେଇ ଏକ ମାମଲା ରୁଜୁ କରାଯାଇ ଶନିବାର ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।