ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଶିକ୍ଷା ଜିଲ୍ଲା ଅନ୍ତର୍ଗତ ଡଙ୍ଗାପାଳ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟା ଏବେ ଉଗ୍ରରୂପ ଧାରଣ କରିଛି। ଦୀର୍ଘ ଦିନ ଧରି ଶିକ୍ଷାଦାନ ବାଧାପ୍ରାପ୍ତ ହେବା ପରେ ଶେଷରେ ଧୈର୍ଯ୍ୟଚ୍ୟୁତ ହୋଇ ଗ୍ରାମବାସୀ ସ୍କୁଲରେ ତାଲା ପକାଇ ଦେଇଛନ୍ତି।
ବିଦ୍ୟାଳୟରେ ମୋଟ ୮୫ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ମାତ୍ର ୨ ଜଣ ଶିକ୍ଷକଙ୍କ ଭରସାରେ ଶିକ୍ଷାଦାନ ଚାଲିଛି। ନିକଟରେ ଜଣେ ଶିକ୍ଷକ ଅବସର ନେବା ପରେ ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ିଛି। ଯଦି କୌଣସି ଜଣେ ଶିକ୍ଷକ ଛୁଟିରେ ରହନ୍ତି, ତେବେ ଜଣେ ଶିକ୍ଷକଙ୍କ ପକ୍ଷେ ସମସ୍ତ ଶ୍ରେଣୀର ପିଲାଙ୍କୁ ସମ୍ଭାଳିବା ଅସମ୍ଭବ ହୋଇପଡ଼ୁଛି। ସାମ୍ନାରେ ବାର୍ଷିକ ପରୀକ୍ଷା ଥିବାରୁ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବାରମ୍ବାର ଗୁହାରି ସତ୍ତ୍ୱେ କୌଣସି ସ୍ଥାୟୀ ସମାଧାନ କରାଯାଉ ନାହିଁ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଣେ ଶିକ୍ଷକଙ୍କୁ ଡେପୁଟେସନରେ ପଠାଇଥିଲେ ମଧ୍ୟ ସମ୍ପୃକ୍ତ ଶିକ୍ଷକ ନିଜ ପୁରୁଣା ବିଦ୍ୟାଳୟ ଛାଡ଼ିବାକୁ ନାରାଜ। ଏ ବାବଦରେ BEOଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, “ସ୍ଥାୟୀ ନିଯୁକ୍ତି ବା ବଦଳି କେବଳ ଜିଲ୍ଲାପାଳଙ୍କ ସ୍ତରରେ ହିଁ ସମ୍ଭବ।”
“ଲୋକଙ୍କ ସରକାର” ଶିକ୍ଷାକୁ ପ୍ରାଥମିକତା ଦେବା କଥା କହୁଥିବା ବେଳେ ଡଙ୍ଗାପାଳ ସ୍କୁଲର ଦୃଶ୍ୟ ସମ୍ପୂର୍ଣ୍ଣ ଓଲଟା। ଗ୍ରାମବାସୀ ସ୍ପଷ୍ଟ କରିଛନ୍ତି ଯେ, ଯଦି ତୁରନ୍ତ ସ୍ଥାୟୀ ଶିକ୍ଷକ ନିଯୁକ୍ତ ନ ହୁଅନ୍ତି, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ବ୍ୟାପକ ରୂପ ନେବ।