ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅନନ୍ତ ବିହାର ଡିଏଭି ପବ୍ଲିକ ସ୍କୁଲରେ ଡିଏଭି ଅନୁଷ୍ଠାନ ସମୂହର ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ପ୍ରଥମ ପର୍ଯ୍ୟାୟ ପ୍ରାଥମିକସ୍ତରୀୟ ଶିକ୍ଷକ-ପ୍ରଶିକ୍ଷାର୍ଥୀଙ୍କ ପାଇଁ ଚାଲିଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି।ଡିଏଭି ଅନୁଷ୍ଠାନ ସମୂହର ଆଞ୍ଚଳିକ ସହ ଅଧିକାରିଣୀ ତଥା ଆୟୋଜକ ଡିଏଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଜ୍ୟୋତି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଡିଏଭି ତାଳଚେର ଥର୍ମାଲ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ଶୁଭେନ୍ଦୁ ଶେଖର ବୋଷ, ଡିଏଭି ବାଳିକା ଉଚ୍ଚ ବିଦ୍ୟାଳୟ, ସି,ଡବ୍ଲ୍ୟୁ.ଏସ୍.ର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ସାମଲ, ଡିଏଭି ସାବିତ୍ରୀ ଜିନ୍ଦଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫକୀରମୋହନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ମୁଖ୍ୟ ଅତିଥି ଅନୁଭାବାତ୍ମକ ଓ ଅଭିନବ ଶିକ୍ଷଣ ପଦ୍ଧତିର ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦାୟିତ୍ୱବୋଧ ଉପରେ ଗୁରୁତ୍ୱ ଦେଇଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଥିବା ଡିଏଭି ଅନୁଷ୍ଠାନର ୫୨ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ପ୍ରତ୍ୟେକ ଅଧିବେଶନରେ ଇଂରାଜୀ, ଓଡ଼ିଆ, ଗଣିତ,ସାମାଜିକ ବିଜ୍ଞାନ ଓ ବିଜ୍ଞାନ ଶିକ୍ଷକ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦିଆଯାଇଥିଲା। ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିଥିଲା।ଅନ୍ୟମାନଙ୍କ ମଧ୍ୟରେ ସଂକୁଳ ମୁଖ୍ୟ ଜ୍ୟୋତି ମିଶ୍ର, ଶିକ୍ଷକ କରୁଣାକର ସାହୁ, ଏକାଡେମିକ୍ ସୁପରଭାଇଜର ଅଞ୍ଜନ ମୁଦୁଲି ଉପସ୍ଥିତ ଥିଲେ।