ମୁଖ୍ୟ ଖବର

ଟ୍ରେନ୍ ଲାଇନରୁ ରେଲୱେ ଜୁନିୟର୍ ଇଞ୍ଜିନିୟରଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର, କିଛି ଦିନରେ ହୋଇଥାନ୍ତା ବିବାହ

By Angul TV Bureau

January 27, 2024

ଅନୁଗୁଳ: ଆଜି ଅନୁଗୁଳ ଷ୍ଟେସନ ନିକଟ ଟ୍ରେନ ଲାଇନରୁ ଜଣେ ରେଳ ଇଂଜିନିୟରଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଛେଣ୍ଡିପଦା ଥାନା ବ୍ରହ୍ମଣବିଲ ଗ୍ରାମର ରଞ୍ଜନ ସାହୁଙ୍କ ପୁଅ ଲିପନ ସାହୁ। ସେ ଗତ ୫/୭ ବର୍ଷ ହେବ ଭାରତୀୟ ରେଳ ବିଭାଗରେ ଲୋକୋ ପାଇଲଟ ଭାବରେ କାର୍ଯ୍ୟ କରୁଥିଲେ।

ସୂଚନା ମୁତାବକ, କିଛି ଦିନ ହେଲା ଲିପନଙ୍କର ପଲାସା ଷ୍ଟେସନ ବଦଳି ହୋଇଥିଲା। ପରେ ପୁନଃ ବଦଳି ହୋଇ ସେ ଅନୁଗୁଳ ଷ୍ଟେସନରେ ଜୁନିୟର ଇଞ୍ଜିନିୟର ଭାବେ ନିଯୁକ୍ତ ପାଇଥିଲେ। ଶୁକ୍ରବାର ଅନୁଗୁଳ ଷ୍ଟେସନରେ ରିପୋର୍ଟିଂ କରି ସେ ଜଏନ୍ କରିଥିଲେ। ପରେ ଅନୁଗୁଳସ୍ଥିତ ଏକ ସାଙ୍ଗ ରୁମକୁ ଯାଇ ସେଠାରେ ରହିଥିଲେ। ଆଜି ସକାଳ ୮ ଟାରେ ସେ ଡ୍ୟୁଟି ଆସିଥିଲେ ହେଲେ ୯ ଟା ବେଳେ ଅନୁଗୁଳ ଷ୍ଟେସନ କଲୋନୀ ନିକଟସ୍ଥ ରେଳ ଧାରଣାରୁ ଲିପନଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର ହୋଇଛି। ତେବେ ଲିପନ ରେଳ ବିଭାଗରେ ଉଚ୍ଚ ପଦବୀରେ କାର୍ଯ୍ୟ କରୁଥିଲେ ଏବଂ କିଛି ମାସ ପରେ ମଧ୍ୟ ତାଙ୍କର ବିବାହ ହୋଇଥାନ୍ତା। କିନ୍ତୁ ଆଜି ତାଙ୍କର ଏଭଳି ମୃତ୍ୟୁ କେମିତି ହେଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନୁଗୁଳ ରେଳବାଇ ସୁରକ୍ଷାବଳ ଥାନା ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇବା ସହ ମୃତ ଦେହକୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି।