ଅନୁଗୁଳ: ଜାତୀୟ ରାଜପଥ-୫୫ ପାର୍ଶ୍ୱରେ ଥିବା ଏକ ବିପଦ ସଙ୍କୁଳ ମଲାଗଛ ଏବେ ସ୍ଥାନୀୟ ବାସିନ୍ଦା ଓ ପଥଚାରୀଙ୍କ ପାଇଁ ମୃତ୍ୟୁଯନ୍ତା ପାଲଟିଛି। ଅନୁଗୁଳ ରାଜ ହୋଟେଲ ଛକ ନିକଟରେ ଥିବା ଏହି ଶୁଖିଲା ଗଛଟି ଦୀର୍ଘ ଦିନ ଧରି ମୁଣ୍ଡ ଉପରେ ଖଣ୍ଡା ଭଳି ଝୁଲୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ।
ସୂଚନା ଅନୁସାରେ, ରାଜ୍ୟରେ ଏବେ କାଳବୈଶାଖୀର ପ୍ରଭାବ ଜାରି ରହିଛି। ଦୁଇ ଦିନ ତଳେ ପ୍ରବଳ ପବନ ଯୋଗୁଁ ଏହି ଗଛର ଏକ ବିରାଟ ଡାଳ ଭାଙ୍ଗି ରାଜପଥ ଉପରେ ପଡ଼ିଥିଲା। ସୌଭାଗ୍ୟବଶତଃ ସେହି ସମୟରେ କୌଣସି ଯାନବାହନ କିମ୍ବା ବ୍ୟକ୍ତି ସେଠାରେ ଉପସ୍ଥିତ ନଥିବାରୁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ତେବେ ଏହା ଏକ ଅତ୍ୟନ୍ତ ଜନଗହଳି ପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।
ଏ ସମ୍ପର୍କରେ ପୂର୍ବରୁ ଅନୁଗୁଳ ଡିଏଫଓଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଥିଲେ ହେଁ, ବନ ବିଭାଗ କିମ୍ବା ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। “ଯଦି ଆଗାମୀ ଦିନରେ ଏହି ଗଛ ପଡ଼ି କୌଣସି ଧନଜୀବନ ହାନି ହୁଏ, ତେବେ ସେଥିପାଇଁ ଦାୟୀ କିଏ?” ବୋଲି ବାସିନ୍ଦାମାନେ ପ୍ରଶ୍ନ କରିଛନ୍ତି। କୌଣସି ଅଘଟଣ ଘଟିବା ପୂର୍ବରୁ ଗଛଟିକୁ ତୁରନ୍ତ କାଟିବା ପାଇଁ ସାଧାରଣରେ ଦାବି ଜୋର ଧରିଛି।