ଘଟଣା ଓ ଦୁର୍ଘଟଣା

ୱେବଚାନେଲ ସାମ୍ବାଦିକଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗିରଫ

By Angul TV Bureau

September 29, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଏନଟିପିସି ଓଭରବ୍ରିଜ ପାଖ ଦୈନିକ ମାର୍କେଟରେ ଜଣେ ସାମ୍ବାଦିକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ଯୁବକ ବିଜିଗୋଳ ଗ୍ରାମର କାନ୍ତ ଧର(୩୭)କୁ ପୁଲିସ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗଦାଶିଳା ଗ୍ରାମର ଜୟନ୍ତ ମିଶ୍ର(୪୧) ମଙ୍ଗଳବାର ପୂର୍ବାହ୍ନ ୧୦ଟା ବେଳେ ଏନଟିପିସି ଓଭରବ୍ରିଜ ଦୈନିକ ବଜାରକୁ କୌଣସି ଏକ କାମରେ ଯାଇଥିଲେ। କାନ୍ତ ସେଠାରେ ତାଙ୍କୁ ଅଟକାଇ ମାଡ଼ ମାରିଥିଲା। ଏକ ଇଟାରେ ତାଙ୍କ ମୁଣ୍ଡକୁ ବାଡେଇ ଲହୁଲୁହାଣ କରିଦେଇଥିଲା। ଜୟନ୍ତ ରକ୍ତ ଜୁଡୁବୁଡୁ ହୋଇ ଘଟଣାସ୍ଥଳରେ ଚେତା ହରାଇ ପଡ଼ିଥିବା ବେଳେ ଅଭିଯୁକ୍ତ ତାଙ୍କ ସ୍କୁଟରକୁ ପଥରରେ ଛେଚି ଭଙ୍ଗାରୁଜା କରିବା ସହ ତାଙ୍କ ପକେଟରୁ ୪ ହଜାର ଟଙ୍କା ଛଡ଼ାଇ ନେଇଥିଲା ବୋଲି ଥାନାରେ ଅଭିଯୋଗ ହୋଇଛି। ଜୟନ୍ତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏ ସମ୍ପର୍କରେ ଏନ୍‌ଟିପିସି ଥାନାରେ ଅଭିଯୋଗ କରିବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।