ଅନୁଗୁଳ: ଅନୁଗୁଳ ନାଲକୋ ସ୍ମେଲ୍ଟର ପ୍ଲାଣ୍ଟର ଲର୍ଡ ଇନ୍ସୁଲେସନ ପ୍ରାଇଭେଟ୍ କମ୍ପାନିର ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଅନୁଗୁଳ ଥାନା ଅନ୍ତର୍ଗତ ଆଙ୍କୁଲା ଗ୍ରାମର ଅଭୟ କୁମାର ବେହେରା (୪୯)। କ୍ଷତିପୂରଣ ଓ ଥଇଥାନ ଦାବିରେ ମୃତକଙ୍କ ପରିବାର ଲୋକେ ଅପରାହ୍ନରେ ପ୍ଲାଣ୍ଟ ଗେଟ ସମ୍ମୁଖରେ ଶବ ରଖି ଧାରଣା ଦେଇଥିଲେ। ନାଲକୋ, ଠିକା ସଂସ୍ଥା ଓ ମୃତକଙ୍କ ପରିବାରର ମିଳିତ ଆଲୋଚନାରେ ମୃତକ ପରିବାରର ସଦସ୍ୟଙ୍କୁ ନିଯୁକ୍ତି ଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ସବୁ ଦିନ ପରି ଅଜୟ ଆଜି ସକାଳ ୮ଟା ବେଳକୁ ନାଲକୋ ପ୍ଲାଣ୍ଟକୁ ଡ୍ୟୁଟି ଯିବାକୁ ବାହାରି ଥିବାବେଳେ ହଠାତ ଅଚେତ ହୋଇପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ପ୍ରଥମେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଅଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ଥଇଥାନ ପାଇଁ ଅଡ଼ି ବସିଥିଲେ ପରିବାର ଲୋକ।