କଳା ଓ ସଂସ୍କୃତି

ଶୈଳ ଶ୍ରୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା

By Biswaranjan Pattnaik

June 14, 2022

ଅନୁଗୁଳ: ଅନୁଗୁଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ସ୍ନାନ ପୁର୍ଣିମା ଅନୁଷ୍ଠିତ ହୋଇଥିଲା। ରାତି ପ୍ରାୟ ସାଢ଼େ ତିନିଟା ସମୟରେ ଦିଅଁ ମାନଙ୍କ ପହଡ ଭାଙ୍ଗିବା ପରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ ନୀତିକାନ୍ତି ସହ ପାଳନ କରଯାଇଥିଲା। ସୂର୍ଯ୍ୟପୂଜା, ଅବକାଶ, ମଙ୍ଗଳାର୍ପଣ, ଆଦି କରାଯିବା ପରେ ଦିଅଁ ମାନଙ୍କୁ ପହଣ୍ଡି କରାଯାଇ ସ୍ନାନ ମଣ୍ଡପକୁ ନିଆ ଯାଇଥିଲା। ସକାଳ ୮ ଟାରେ ବ୍ରାହ୍ମଣ ,ସେବାୟତ ମାନଙ୍କ ମନ୍ତ୍ର ଧ୍ୱନି ମଧ୍ୟରେ ୧୦୮ ଗରା ସୁବାସିତ ଜଳରେ ଦିଅଁମାନଙ୍କୁ ସ୍ନାନ କରାଯାଇଥିଲା। ଏହାପରେ ଦିଅଁ ମାନେ ଗଜାନନ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ।

ଏହାପରେ ମଧ୍ୟାହ୍ନ ପହଡ଼ ପରେ ସନ୍ଧ୍ୟା ୬ଟା ରେ ପହଡ଼ ଫିଟିବା ପରେ ଦିଅଁ ମାନଙ୍କ ପୁଣି ନୀତିକାନ୍ତି ସହ ପୂଜାର୍ଚନା କରାଯାଇଥିଲା।ସନ୍ଧ୍ୟା ରେ ଭକ୍ତଙ୍କ ପାଈଁ ସାହାଣମେଳା ପରେ ରାତି ୮ଟା ସମୟରେ ଗଜାନନ ବେଶ ଓଲାଗି କରାଯାଇ ଦିଅଁ ମାନଙ୍କୁ ଗୋଟି ପହଣ୍ଡିରେ ଅଣସର ମଣ୍ଡପକୁ ନିଆ ଯାଇଥିଲା। ଶୈଳ ଶ୍ରୀକ୍ଷେତ୍ର ରେ ସ୍ନାନ ପୁର୍ଣିମା ଦେଖିବାକୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା। ମନ୍ଦିର କମିଟି ପକ୍ଷରୁ ଗଗନ ନନ୍ଦ, ଆନନ୍ଦ ମହାପାତ୍ର, ହେମନ୍ତ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।