ମୁଖ୍ୟ ଖବର

ରାଇଝରଣ ଗାଁ ଲୋକଙ୍କ ନିଷ୍ପତ୍ତି: ଗ୍ରାମବାସୀଙ୍କୁ ଉଚିତ କ୍ଷତିପୂରଣ ଦେବା ପରେ ହିଁ ଜଙ୍ଗଲ ଜମି ନେବ ମହାନଦୀ କୋଲଫିଲଡ ଲିମିଟେଡ

By Sanjeeb Biswal

April 22, 2023

ଛେଣ୍ଡିପଦା: ମହାନଦୀ କୋଲଫିଲଡ ଲିମିଟେଡ଼ ଦ୍ୱାରା ନୂତନ ଭାବେ ଅଧିକୃତ ସୁଭଦ୍ରା କ୍ଷେତ୍ର ନିମନ୍ତେ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମିରେ ପରିବର୍ତ୍ତନ କରି କାର୍ଯ୍ୟରେ ବ୍ୟବହାର ନିମନ୍ତେ ଏକ ପଲ୍ଲୀ ସଭା ଶୁକ୍ରବାର ରାଇଝରଣ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଆୟୋଜିତ ହୋଇଛି।

ଉକ୍ତ ସଭାରେ ରାଇଝରଣ ପଞ୍ଚାୟତର ରାଇଝରଣ ଗ୍ରାମରେ ଥିବା ଜଙ୍ଗଲ ଜମିକୁ ଅଣଜଙ୍ଗଲ କାର୍ଯ୍ୟ ନିମନ୍ତେ ପରିବର୍ତ୍ତନ କରାଯିବାକୁ ସ୍ଥିର ହୋଇଛି। ସୁଭଦ୍ରା କ୍ଷେତ୍ରର ସୁଭଦ୍ରା କୋଇଲା ଖଣି ନିମନ୍ତେ ରାଇଝରଣ ମୌଜାର ୧୩.୯୯ ହେକ୍ଟର ଜଙ୍ଗଲ ଜମିରେ ଖଣି ଖନନ ଓ ଆନୁସାଙ୍ଗିକ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତାବ ରଖା ଯାଇଥିଲା। ଏହି ଆଲୋଚନାରେ ଗ୍ରାମବାସୀ କ୍ଷତିପୂରଣ ରାଶି, କ୍ଷତିଗ୍ରସ୍ତଙ୍କୁ ଥଇଥାନ, ଜଙ୍ଗଲ କ୍ଷତି ହୋଇଥିବା ଜମି ଉପରେ ସମପରିମାଣର ଜଙ୍ଗଲ ସୃଷ୍ଟି, ଜଙ୍ଗଲ ଉପରେ ନିର୍ଭର କରୁଥିବା ଗ୍ରାମବାସୀଙ୍କର ଅତ୍ୟାବଶ୍ୟକ ସାମଗ୍ରୀର କ୍ଷତିପୂରଣ, ବନସୁରକ୍ଷା ସମିତିର କ୍ଷତି ପୂରଣ ଆଦି ପ୍ରଦାନ କରିସାରିବା ପରେ କର୍ତ୍ତୃପକ୍ଷ ଜଙ୍ଗଲ ଜମି ଗ୍ରହଣ କରିବେ ବୋଲି ପଲ୍ଲୀ ସଭାରେ ନିଷ୍ପତ୍ତି ହୋଇଛି।

ୱାର୍ଡ ସଭ୍ୟ ପୁରନ୍ଦର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପଲ୍ଲୀ ସଭାରେ ଛେଣ୍ଡିପଦା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଏସ ନୈବେଦ୍ୟ ଲଲାଟେନ୍ଦୁ, ରାଇଝରଣ ସରପଞ୍ଚ ପ୍ରଶାନ୍ତ କୁମାର ସେଠି, ସୁଭଦ୍ରା କ୍ଷେତ୍ର ପରିଚାଳକ କୃପାଶଙ୍କର ସିଂ, ପ୍ରକଳ୍ପ ଅଧିକାରୀ ବାହଦୁଲ ସାହୁ,ଏମଡିଓର ମୁଖ୍ୟ ବିମଳ ରାଉଳ, ଜମି ଓ ଥଇଥାନ ମୁଖ୍ୟ ସଂଜୀବ ତ୍ରିପଠୀ, ଜନସମ୍ପର୍କ ଅଧିକାରୀ ସଂଜୀବ ବିଶ୍ୱାଳଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ଓ ଗ୍ରାମବାସୀ ଯୋଗ ଦେଇଥିଲେ।