ଅନୁଗୁଳ: ୧୧ମ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ସମିତିର ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଅନୁଗୁଳ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ରପ୍ରଧାନ, ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁଦୀପ ଗଡ଼ନାୟକ, ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ପ୍ରଭାତ କୁମାର ପ୍ରଧାନ, ତାଳଚେର ବିଧାୟକଙ୍କ ପ୍ରତିନିଧି ସନ୍ତୋଷ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଉପସ୍ଥିତ ରହି ଆସନ୍ତା ଖରିଫ ବର୍ଷ ୨୦୨୫-୨୬ ପାଇଁ କିଭଳି ଭାବେସୂଚାରୁରୂପେ ଧାନ ସଂଗ୍ରହ କରାଯିବ ସେ ନେଇ ଆଲୋଚନା କରିଥିଲେ। ଆସନ୍ତା ଜାନୁୟାରୀ ୭ ତାରିଖରେ ଧାନ ସଂଗ୍ରହ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି।
ଧାନ କ୍ରୟ ପାଇଁ ଅମଳ ହାର ହାରାହାରି ୧୮୬୨୫୨ ମେଟ୍ରିକ୍ ଟନ ବୋଲି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରିପୋର୍ଟ ଦାଖଲ କରିଛନ୍ତି। ଧାନ କିଣିବା ପାଇଁ ସୋସାଇଟିସ୍ତରୀୟ ସଂଗ୍ରହ କମିଟି, ପ୍ରତି ସୋସାଇଟି ପାଇଁ ମଣ୍ଡି ନୋଡାଲ ଅଫିସର ଏବଂ ମଣ୍ଡି ସୁପରଭାଇଜର ଅଫିସର ନିଯୁକ୍ତି କରାଯିବ। ଆର.ଏମ୍.ସି ଗୁଡିକ ଏଫ୍.ଏ.କ୍ୟୁ ଗୁଣବତ୍ତାର ପ୍ରାରମ୍ଭିକ ଚିହ୍ନଟ ଏବଂ କ୍ରୟ ପ୍ରକ୍ରିୟା ତ୍ବରାନ୍ବିତ କରିବା ପାଇଁ କ୍ବାଲିଟି ଆନାଲିଷ୍ଟ ସହିତ ଆବଶ୍ୟକ ସ୍ଥଳେ A1 ଆଧାରିତ ଶସ୍ୟ ବିଶ୍ଳେଷକ ଯୋଗାଇ ଦେବେ। ଆର.ଏମ୍.ସି ଗୁଡିକ ଆଇ.ଇ.ସି କାର୍ଯ୍ୟକ୍ରମ ଜରିଆରେ ଚାଷୀଙ୍କ ମଧ୍ୟରେ ମଣ୍ଡିକୁ ଶୁଖିଲା, ସଫା ଏବଂ ଏଫ୍.ଏ.କ୍ୟୁ ମାନର ଧାନ ଆଣିବା ପାଇଁ ସଚେତନତା ସୃଷ୍ଟି କରିବାର ନିଷ୍ପତ୍ତି ନିଆଯାଇଛି।
ଅନ୍ୟମାନଙ୍କ ମଧ୍ୟରେ ଉପ ଆରକ୍ଷୀ ଅଧୀକ୍ଷକ ବିରଞ୍ଚି ନାରାୟଣ ବାଗ, ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନା, ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରା, ଆଠମଲ୍ଲିକ ଉପଜିଲ୍ଲାପାଳ ଉପେନ୍ଦ୍ର ଲୋହା, ପାଳଲହଡା ଉପଜିଲ୍ଲାପାଳ ରବୀନ୍ଦ୍ରକୁମାର ପଟେଲ, ଅନୁଗୁଳ ସମବାୟ ସମିତି ସମୂହର ଉପ-ନିବନ୍ଧକ ଶରତ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ କୃଷକ ପ୍ରତିନିଧିମାନେ ଉପସ୍ଥିତ ଥିଲେ।