ଘଟଣା ଓ ଦୁର୍ଘଟଣା

ପୋଲତଳୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

By Angul TV Bureau

June 01, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟା ଗାଁ ନିକଟସ୍ଥ ତେଲିପୋଲ ତଳୁ ଜଣେ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ହେଲେ ହଣ୍ଡପା ଥାନା କଣ୍ଟେଇକୁଳିଆ ପଞ୍ଚାୟତ ଇଚ୍ଛାପୁର ଗାଁର ଦୀପକ ବାଘ। ମୃତ ଦେହଟି ସଢ଼ି ଯାଇଥିବା ବେଳେ ପାରିପାର୍ଶ୍ଵିକ ସ୍ଥିତିକୁ ନେଇ ଏହା ହତ୍ୟା ନା ଦୁର୍ଘଟଣା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଏ ନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ।

ସୂଚନା ମୁତାବକ, ଛେଣ୍ଡିପଦାରୁ ଜରପଡ଼ା ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ବାଲିପଟା ଗାଁ ନିକଟସ୍ଥ ତେଲିପୋଲ ନିକଟରେ ଦୁର୍ଗନ୍ଧ ହେବାରୁ ଲୋକେ ପୋଲ ତଳକୁ ଦେଖିଥିଲେ। ସେଠାରେ ଜଣେ ଯୁବକଙ୍କ ଗଳିତ ମୃତ ଦେହ ପଡ଼ିଥିଲା। ମୃତ ଦେହ ପଡ଼ିଥିବା ସ୍ଥାନ ଠାରୁ କିଛି ଦୂରରେ ଏକ ମୋଟର ସାଇକେଲ ପଡ଼ିଥିଲା। ଯାହାକୁ ନେଇ ଏହା ହତ୍ୟା ନା ଦୁର୍ଘଟଣା ନେଇ ସାଧାରଣ ସନ୍ଦେହ ସୃଷ୍ଟି ହୋଇଛି। ଏନେଇ ସ୍ଥାନୀୟ ଲୋକେ ଛେଣ୍ଡିପଦା ଥାନାକୁ ଖବର ଦେଇଥିଲେ। ଖବର ପାଇ ଛେଣ୍ଡିପଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ଵିକ ସ୍ଥିତିକୁ ଅନୁଧ୍ୟାନ କରି ଘଟଣାର ତଦନ୍ତ ଚଳାଇଥିଲେ। ଖବର ପାଇ ମୃତକଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ଵିକ ସ୍ଥିତିକୁ ଦେଖି ଦୀପକଙ୍କୁ କେହି ହତ୍ୟା କରି ପକାଇଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି।

ପାରିବାର ଲୋକେ ଅଭିଯୋଗ କରିଛନ୍ତି, ଦୀପକ ଗତ ସାବିତ୍ରୀ ଅମାବାସ୍ୟା ଦିନ ଛେଣ୍ଡିପଦା ଆସି ଆଉ ଘରକୁ ଫେରି ନଥିଲେ। ବହୁ ଖୋଜାଖୋଜି କରିବା ପରେ ନିରାଶ ହୋଇ ଦୀପକ ନିଖୋଜ ଥିବା ନେଇ ହଣ୍ଡପା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ମୃତ ଦୀପକଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ଛେଣ୍ଡିପଦା ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଚ୍ଛେଦ କରିବା ସହିତ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

ତେବେ ଦୀପକ ଛେଣ୍ଡିପଦା ଅଞ୍ଚଳକୁ କାହିଁକି ଆସିଥିଲେ ଜଣାପଡ଼ିନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଦୁର୍ଘଟଣା ଜଣାପଡ଼ିବ ବୋଲି ଛେଣ୍ଡିପଦା ଥାନାଧିକାରୀ ବିଭୁଦତ୍ତ ରାଉତରାୟ ସୂଚନା ଦେଇଛି।