ମୁଖ୍ୟ ଖବର

ଅନୁଗୋଳରେ ଦୀନଦୟାଲ ସ୍ପର୍ଶ ଛାତ୍ରବୃତ୍ତି ପରୀକ୍ଷା

By Biswaranjan Pattnaik

September 29, 2026

ଅନୁଗୋଳ: ଭାରତୀୟ ଡାକ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡାକଟିକଟ ସଂଗ୍ରହ (ଫିଲାଟେଲି) ପ୍ରତି ଆଗ୍ରହ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷର ‘ଦୀନଦୟାଳ ସ୍ପର୍ଶ ଯୋଜନା’ ଛାତ୍ରବୃତ୍ତି ପରୀକ୍ଷା ଅନୁଗୋଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି।

ଏହି ପରୀକ୍ଷାରେ ଅନୁଗୋଳ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରୁ ୪୨୦ ଜଣ ଛାତ୍ରଛାତ୍ରୀ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଯୋଗ୍ୟତା ହାସଲ କରି ଚୟନ ହେଉଥିବା ଛାତ୍ରଛାତ୍ରୀଙ୍କୁ ପ୍ରତିବର୍ଷ ୬,୦୦୦ ଟଙ୍କା ଛାତ୍ରବୃତ୍ତି ପ୍ରଦାନ କରାଯିବ।

ଡାକଟିକଟ ସଂଗ୍ରହ ଭଳି ଏକ ଜ୍ଞାନବର୍ଦ୍ଧକ ଶିକ୍ଷା କୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୋକପ୍ରିୟ କରିବା ସହିତ ସେମାନଙ୍କର ସୃଜନଶୀଳତା, ସାଧାରଣ ଜ୍ଞାନ ଓ ଅନୁସନ୍ଧାନମୂଳକ ମନୋଭାବର ବିକାଶ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ।

ଏହି ପରୀକ୍ଷା ଭାରତୀୟ ଡାକ ବିଭାଗ, ଢେଙ୍କାନାଳ ଡାକ ମଣ୍ଡଳର ତତ୍ତ୍ୱାବଧାନରେ ଅନୁଗୋଳ ମୁଖ୍ୟ ଡାକଘର ପକ୍ଷରୁ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ଆୟୋଜନ ଓ ସମନ୍ୱୟରେ ବିଜନେସ୍ ଏକ୍ଜିକ୍ୟୁଟିଭ୍ ଶ୍ରୀ ସୁଜିତ କୁମାର ଦେହୁରୀଙ୍କ ମୁଖ୍ୟ ଭୂମିକା ରହିଥିଲା।