ଅନ୍ୟାନ୍ୟ

ଅନୁଗୁଳରେ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ପାଇଁ ଜିଲ୍ଲାପାଳଙ୍କୁ ଦାବି କଲେ କାଉନସିଲରଙ୍କ ପ୍ରତିନିଧି ଦଳ

By Angul TV Bureau

July 16, 2023

ଅନୁଗୁଳ: ଅନୁଗୁଳ ପୌରପାଳିକାର କାଉନସିଲରମାନଙ୍କର ଏକ ପ୍ରତିନିଧି ଦଳ ଶନିବାର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ପୌରାଞ୍ଚଳର ବିଭିନ୍ନ ଉନ୍ନତିମୂଳକ କାମ ବିଷୟରେ ଆଲୋଚନା କରିଛନ୍ତି। ଏ ଅବସରରେ ସେମାନେ ଅନୁଗୁଳରେ ଏକ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ବନାଯିବା ପାଇଁ ପ୍ରସ୍ତାବ ରଖିଥିଲେ। ଏ ନେଇ ଜିଲ୍ଲାପାଳ କହିଥିଲେ ଯେ ଜାଗା ଚିହ୍ନଟ ସରିଛି, ଖୁବ ଶୀଘ୍ର ନିର୍ମାଣ କାମ ଆରମ୍ଭ ହେବ। ଏହି ଅତ୍ୟାଧୁନିକ ବଜାରରେ ଉଭୟ ଆମିଷ ଓ ପରିବା ବିକ୍ରି କରାଯିବ ଏବଂ ଲୋକମାନଙ୍କ ସୁବିଧା ପାଇଁ ଗାଡି ପାର୍କିଙ୍ଗର ମଧ୍ୟ ବ୍ୟବସ୍ଥା କରାଯିବ।

ବିଭିନ୍ନ ୱାର୍ଡରେ ଛୋଟ ପିଲାଙ୍କ ପଢିବା ପାଇଁ ଅଙ୍ଗନବାଡି କେନ୍ଦ୍ର ନାହିଁ। ତାହା ଉପରେ ଆଲୋଚନା କରି ଜିଲ୍ଲାପାଳ କହିଥିଲେ, ଯେଉଁ ୱାର୍ଡ଼ରେ ଅଙ୍ଗନବାଡି କେନ୍ଦ୍ର ପାଇଁ ଜାଗା ଅଛି ସେଠାରେ ୨୪ ଲକ୍ଷ ଟଙ୍କା ବ୍ୟୟରେ ଆଦର୍ଶ ଅଙ୍ଗନବାଡି କେନ୍ଦ୍ର ସ୍ଥାପନ କରାଯିବ। ଅଙ୍ଗନବାଡି କେନ୍ଦ୍ର ଜାଗା ଚିହ୍ନଟ କରି ଯଥା ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରତିନିଧି ଦଳରେ ଶଙ୍କର ସେଠି, ବଳରାମ ଜେନା, ସୁଶୀଲ ମୁଖି, ବିଶ୍ୱରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।