ମୁଖ୍ୟ ଖବର

ଛତିଶଗଡ଼ରେ ଅଟକ ଅଛି ତାଳଚେରର କୋଇଲା ବୋଝେଇ ଟ୍ରକ, ତୁରନ୍ତ ଫେରାଇ ଆଣିବାକୁ ଉପଜିଲ୍ଲାପାଳଙ୍କୁ ଦାବି କଲେ ଟ୍ରକ ମାଲିକ ସଂଘ

By Angul TV Bureau

August 25, 2023

ତାଳଚେର: ତାଳଚେର ଟ୍ରକ ମାଲିକଙ୍କ କୋଇଲା ଟ୍ରକକୁ ଛତିଶଗଡ଼ର କିଛି ଟ୍ରକମାଲିକ ସୀମାରେ ଅଟକାଇ ଟିପି ଓ ଚାଲାଣ ଛଡ଼ାଇ ନେଇଛନ୍ତି। ଏଣୁ କୋଇଲା ବୋଝେଇ ଟ୍ରକଗୁଡ଼ିକୁ ସେଠାରେ ଅଟକ ରଖାଯାଇଛି। ଏହାର ପ୍ରତିବାଦରେ ତାଳଚେର ଟ୍ରକ ମାଲିକମାନେ ଛତିଶଗଡ଼ ଗାଡିଗୁଡ଼ିକୁ ଅଟକାଇ ରଖିଛନ୍ତି। ଏଥିସହ ଉପଜିଲ୍ଲାପାଳଙ୍କୁ ଏ ନେଇ ଆଜି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ସୂଚନା ମୁତାବକ, ଛତିଶଗଡ଼ର ବିଭିନ୍ନ କଳକାରଖାନାକୁ ତାଳଚେର ଅଞ୍ଚଳର ଶତାଧିକ ଟ୍ରକ ଦୀର୍ଘବର୍ଷ ଧରି କୋଇଲା ପରିବହନ କରି ଆସୁଛନ୍ତି। ମାତ୍ର କୋଇଲା ଖଣି ଗୁଡ଼ିକରେ ଫାଷ୍ଟକମ ଫାଷ୍ଟସର୍ଭିସ୍ ଲାଗୁ ହେବା ପରେ ଏହି ଅଞ୍ଚଳର ଟ୍ରକକୁ ପ୍ରାଧାନ୍ୟ ଦିଆଯିବା ପରେ ଅନ୍ୟ ଅଞ୍ଚଳର ଟ୍ରକକୁ ପ୍ରାଧାନ୍ୟ ଦିଆଯିବାର ପ୍ରାବଧାନ ରହିଛି। କିନ୍ତୁ ତାଳଚେର ଟ୍ରକ ସଂଖ୍ୟା ଅଧିକ ହୋଇଥିବାରୁ ଛତିଶଗଡ଼ ଟ୍ରକ ଗୁଡ଼ିକୁ ଆଂଶିକ ସୁଯୋଗ ମିଳୁଥିବାରୁ ପୂର୍ବଭଳି ଅଧିକ ସୁବିଧା ମିଳିପାରୁ ନାହିଁ। ତେଣୁ ସେଠାକାର ଟ୍ରକମାଲିକମାନେ ତାଳଚେର କୋଇଲା ବୋଝେଇ ଟ୍ରକକୁ ଦୁଇଦିନ ହେଲା ଛତିଗଡ଼ସୀମାରେ ଅଟକ ରଖିଛନ୍ତି।

ଏହାର ପ୍ରତିବାଦରେ ତାଳଚେର ଟ୍ରକ ମାଲିକ ସଂଘ ପକ୍ଷରୁ ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀଙ୍କୁ ସାକ୍ଷାତ କରିବା ସହିତ ସଂଘର ସଭାପତି ଅରବିନ୍ଦ ଭୂତିଆ, ମାନସ ରଞ୍ଜନ ଆଚାର୍ଯ୍ୟ, ବିଜୟ କୁମାର ସାହୁ ଓ ଏକାଧିକ ଟ୍ରକ ମାଲିକ ସେମାନଙ୍କ ଟ୍ରକ ଫେରେଇ ଆଣିବାକୁ ବ୍ୟବସ୍ଥା କରିବାକୁ ପ୍ରଶାସନକୁ ଦାବିପତ୍ର ଦେଇଛନ୍ତି। ଏହାର ଏକାକିତା ନକଲ ଅନୁଗୁଳ ଜିଲ୍ଲାପାଳ, ଏସପି, ତାଳଚେର ଏସଡ଼ିପିଓ ପ୍ରମୁଖଙ୍କୁ ପ୍ରଦାନ କରାଯାଇଛି ବୋଲି ସଂଘ ସୂଚନା ଦେଇଛି।