ଅନୁଗୋଳ: ସାମାଜିକ ଅନୁଷ୍ଠାନ ‘ଆମ ଅନୁଗୋଳ ଆମ ଗୌରବ’ ପକ୍ଷରୁ ଆଜି ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଭାପତି ଚନ୍ଦ୍ରକାନ୍ତ ଧଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀଙ୍କୁ ଭେଟି ଏହି ପତ୍ର ଦେଇଛନ୍ତି।
ଦାବିପତ୍ରରେ ଦର୍ଶାଯାଇଛି ଯେ, ଅନୁଗୋଳ ସହରର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ଧୂଳି ପ୍ରଦୂଷଣ ବୃଦ୍ଧି ପାଉଛି, ଯାହା ସାଧାରଣ ଜନତା ଓ ବ୍ୟବସାୟୀଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତାର କାରଣ ହୋଇଛି। ଏଣୁ ସହରର ପ୍ରମୁଖ ରାସ୍ତା, ଜନଗହଳିପୂର୍ଣ୍ଣ ବଜାର ଓ ଅଧିକ ଧୂଳି ଉଡୁଥିବା ସ୍ଥାନରେ ଆଣ୍ଟି-ସ୍ମଗ୍ ମେସିନ୍ ଓ ନିୟମିତ ଜଳ ସିଞ୍ଚନ ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି। ସେହିପରି ସହରକୁ ଆସୁଥିବା ଯାତ୍ରୀ, ମହିଳା ଓ ବୟସ୍କଙ୍କ ସୁବିଧା ପାଇଁ ବସ୍ଷ୍ଟାଣ୍ଡ, ବଜାର ଅଞ୍ଚଳ ଓ ପ୍ରମୁଖ ସ୍ଥାନରେ ପର୍ଯ୍ୟାପ୍ତ ଓ ପରିଷ୍କାର ସାଧାରଣ ପରିସ୍ରାଗାର ନିର୍ମାଣ ଓ ଥିବା ପରିସ୍ରାଗାରର ନିୟମିତ ରକ୍ଷଣାବେକ୍ଷଣ ପାଇଁ ଦାବି କରାଯାଇଛି। ଏଥିସହ ସନ୍ଧ୍ୟାରେ ବଜାର ଅଞ୍ଚଳରେ ଆବର୍ଜନା ସଫେଇ ପାଇଁ ଗାଡ଼ି ନିୟୋଜନ ଓ ରାତ୍ରିକାଳୀନ ସଫେଇ ପାଇଁ ନିର୍ବାହୀ ଅଧିକାରୀଙ୍କୁ ଧନ୍ୟବାଦ ଜଣାଯାଇଛି।
ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ଏହି ଦାବିଗୁଡ଼ିକୁ ଉପରେ ବିଚାର କରି ଶୀଘ୍ର ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରତିନିଧି ମଣ୍ଡଳୀରେ ଉପସଭାପତି ଶେଖ୍ ରଫିକ, ସମ୍ପାଦକ ସୁଧୀର ସାହୁ, କୋଷାଧ୍ୟକ୍ଷ ଅଶୋକ ମୋଦୀ, ସହ-ସମ୍ପାଦକ ଦୀପକ ସାହୁ, ଉପଦେଷ୍ଟା ବ୍ରଜବନ୍ଧୁ ଦେହୁରୀ, କପିଲ ଫୋଗଲା, ଆନନ୍ଦ ଟିବ୍ରେୱାଲ ପ୍ରମୁଖ ଉପସ୍ଥିତ ଥିଲେ।