ମୁଖ୍ୟ ଖବର

ଛଟେଇ ବନ୍ଦ ଓ ଦରମା ବୃଦ୍ଧି ଦାବି: ଶ୍ରମିକ ଦିବସରେ ଆନ୍ଦୋଳନ ପାଇଁ ରଣହୁଙ୍କାର ଦେଲା ବାବା ଚମ୍ପେଶ୍ୱର ବିଦ୍ୟୁତ୍ କର୍ମଚାରୀ ସଂଘ

By Angul TV Bureau

May 02, 2026

ଅନୁଗୁଳ : ୧୪୦ତମ ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ଅନୁଗୁଳ ଶିକ୍ଷକ ପଡ଼ାସ୍ଥିତ AIUTUC କାର୍ଯ୍ୟାଳୟ ପରିସରରେ ବାବା ଚମ୍ପେଶ୍ୱର ବିଦ୍ୟୁତ୍ କର୍ମଚାରୀ ସଂଘ ପକ୍ଷରୁ ଏକ ଶ୍ରମିକ ସଭା ଅନୁଷ୍ଠିତ ହୋଇଛି। ସଂଘର ସାଧାରଣ ସମ୍ପାଦକ ଦୀପକ କୁମାର ସିଂହଙ୍କ ପରିଚାଳନାରେ ଆୟୋଜିତ ଏହି ସଭାରେ ମୁଖ୍ୟବକ୍ତା ଭାବେ AIUTUC ରାଜ୍ୟ ସମ୍ପାଦକ ଜୟସେନ ମେହେର ଯୋଗ ଦେଇଥିଲେ। ସରକାରଙ୍କ ଶ୍ରମିକ ବିରୋଧୀ ‘ଶ୍ରମକୋଡ୍’ ଅଧିକାର ହରଣ କରୁଥିବା ଦର୍ଶାଇ ସେ ଏକ ବ୍ୟାପକ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଛନ୍ତି।

ବିଶେଷ କରି ସ୍ମାର୍ଟ ମିଟର ବାହାନାରେ କର୍ମଚାରୀ ଛଟେଇ ବନ୍ଦ କରିବା, ମିଟର ରିଡର ଓ ବିଲ୍ କଲେକ୍ଟରଙ୍କୁ ସ୍ଥାୟୀ ନିଯୁକ୍ତି ଏବଂ ମଜୁରୀ ବୃଦ୍ଧି ଦାବିରେ ଆସନ୍ତା ୨୬ ତାରିଖରେ ସଂଘ ପକ୍ଷରୁ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ସଭାରେ ସଂଘର କାର୍ଯ୍ୟକାରୀ ସଭାପତି ମାନସ ପାଳ, ବ୍ରଜବନ୍ଧୁ ସାହୁ ଏବଂ SUCI(C)ର ନେତୃବୃନ୍ଦ ଉପସ୍ଥିତ ଥିଲେ। ସଂଘର କର୍ମକର୍ତ୍ତାମାନେ ସଭା ପରିଚାଳନାରେ ସହଯୋଗ କରିଥିଲେ।