ମୁଖ୍ୟ ଖବର

ମିଶନ ଶକ୍ତିରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ସହ ଦରମା ବୃଦ୍ଧି ଦାବି, ଆମ୍ ଆଦମୀ ପାର୍ଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

By Angul TV Bureau

February 28, 2023

ଅନୁଗୁଳ: ମିଶନ ଶକ୍ତିରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ସହ ଦରମା ବୃଦ୍ଧି କରିବାକୁ ଆମ ଆଦମୀ ପାର୍ଟି ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ସରକାର ଯଦି ଏ ଦିଗରେ କିଛି ପଦକ୍ଷେପ ଗ୍ରହଣ ନ କରିବେ ତେବେ ଆଗାମୀ ଦିନରେ ମିଶନ ଶକ୍ତିର ସମସ୍ତ ଷ୍ଟାଫଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ଆନ୍ଦୋଳନକୁ ଅଧିକ ତୀବ୍ରତର କରାଯିବ ବୋଲି ଅନୁଗୁଳ ଜିଲ୍ଲା ଆମ୍ ଆଦମୀ ପାର୍ଟି ତରଫରୁ ଚେତାବନୀ ଦିଆଯାଇଛି।

ଆମ୍ ଆଦମୀ ପାର୍ଟି ପକ୍ଷରୁ କୁହାଯାଇଛି ଯେ ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଏମବିକେ, ସି ଆର୍ ପି, ପ୍ରାଣୀମିତ୍ର, କୃଷିମିତ୍ର ଏବଂ ବ୍ୟାଙ୍କମିତ୍ରଙ୍କୁ ନେଇ ରାଜ୍ୟ ସରକାର ଅଲ ଓଡିଶା ଜି ପି ଏଲ୍ ଏଫ୍ ମିଶନ ଶକ୍ତି କର୍ମୀ ସାମ୍ମୁଖ୍ୟ ଗଠନ କରିଛନ୍ତି। ମିଶନ ଶକ୍ତିରେ କାର୍ଯ୍ୟରତ କୋଡ଼ିଏ ହଜାର କର୍ମୀ ନିଜର ହକ୍ ପାଇଁ ଗତ ଫେବ୍ରୁଆରୀ ୧୦ରେ ରାଜ ରାସ୍ତାକୁ ଓହ୍ଲାଇ ଥିଲେ। ମିଶନ ଶକ୍ତି ଷ୍ଟାଫଙ୍କର ଏହି ଆନ୍ଦୋଳନକୁ ବିଜୁ ଜନତା ଦଳର କିଛି ନେତା ଓ ନେତ୍ରୀ ସମର୍ଥନ ଜଣାଇଥିଲେ। କିନ୍ତୁ ଦୀର୍ଘ ୧୦ ବର୍ଷ ଧରି ମିଶନ ଶକ୍ତିରେ ସହାୟକ ଷ୍ଟାଫ୍ ଭାବେ କାମ କରୁଥିବା ଏହି କର୍ମଚାରୀଙ୍କ ଦାବିକୁ ସରକାର ଗ୍ରହଣ କରୁ ନାହାନ୍ତି। ଏଣୁ ତୁରନ୍ତ ମିଶନ ଶକ୍ତିରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ସହ ଦରମା ବୃଦ୍ଧି କରିବାକୁ ଆପ୍ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।

ଆମ୍ ଆଦମୀ ପାର୍ଟିର ଜିଲ୍ଲା ସଭାପତି ଜ୍ୟୋତି ରଞ୍ଜନ ପଣ୍ଡାଙ୍କ ନେତୃତ୍ଵରେ ଏହି ଧାରଣା ପ୍ରଦର୍ଶନ କରାଯାଇଥିବା ବେଳେ ଶ୍ରୀକାନ୍ତ କୁମାର ପାଣି, ରଞ୍ଜିତ କୁମାର ମହାପାତ୍ର, ପ୍ରଦୀପ କୁମାର ସାହୁଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।