ଆଠମଲ୍ଲିକ : ଆଠମଲ୍ଲିକ ଉପଖଣ୍ଡ ଠାକୁରଗଡ଼ ଥାନା ଆମ୍ବଶରମୁଣ୍ଡା ପଞ୍ଚାୟତ ମହୀଧରପୁର ଗ୍ରାମରେ ଗତ ୨୧ ଅକ୍ଟୋବରରେ ଘଟିଥିବା ଏକ ଅପମୃତ୍ୟୁ ମାମଲାର ପୁନଃ ତଦନ୍ତ କରିବାକୁ ଦାବି ହୋଇଛି। ଏନେଇ ଶୁକ୍ରବାର ଅପରାହ୍ନରେ ଆଠମଲ୍ଲିକ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରଉ କରାଯାଇଛି।
ସୂଚନା ମୁତାବକ, କିଶୋରନଗର ଥାନା ସଂଯାମୁରା ପଞ୍ଚାୟତ ବାଟିମୁଣ୍ଡାର ପୁରୋସ୍ତମ ନାୟକଙ୍କ ପୁଅ ସିପୁନ ନାୟକ (୨୪) ଙ୍କୁ ଏକ ଚୋରି ମାମଲାରେ ପୋଲିସ ଖୋଜିଥିଲା। ପୋଲିସ ଭୟରେ ସିପୁନ ଆଠମଲ୍ଲିକ ବ୍ଲକ ଆମ୍ବଶରମୁଣ୍ଡା ପଞ୍ଚାୟତ ମହୀଧରପୁରର ହୃଷିକେଶ ମାଝୀଙ୍କ ଘରେ ରହିଥିଲା। କିନ୍ତୁ ଗତ ୨୧ ରେ ସିପୁନର ମୃତଦେହ ଏକ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ମୃତଦେହକୁ ଠାକୁରଗଡ଼ ପୋଲିସ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିଥିଲା। ତେବେ ପରିବାର ପକ୍ଷରୁ ସିପୁନକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରାଯାଇଛି। ପରିବାର ଲୋକଙ୍କ କହିବାନୁଯାୟୀ, ମୃତଦେହ ଉଦ୍ଧାର ସମୟରେ ପାରିପାର୍ଶ୍ଵିକ ସ୍ଥିତି ସନ୍ଦେହଜନକ ଥିଲା। ମୃତଦେହରେ କ୍ଷତଚିହ୍ନ ରହିଥିବା ବେଳେ ସିପୁନର ଦାନ୍ତଗୁଡ଼ିକ ମଧ୍ୟ ନଥିଲା। ଏଣୁ ସିପୁନକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ଏବଂ ଏହି ଘଟଣାର ପୁନଃ ତଦନ୍ତ କରାଯାଇ ଦୋଷୀକୁ ଠାବ କରାଯାଉ ବୋଲି ପରିବାର ଲୋକ, ବାଟିମୁଣ୍ଡା ଗ୍ରାମର ମା ଦୁର୍ଗେଶ୍ୱରୀ ମହିଳା ସମିତି ଓ ଗ୍ରାମବାସୀ ଆରକ୍ଷୀ ଅଧିକାରୀ ଜଗମୋହନ ମୀନାଙ୍କୁ ୧୦ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ୧୧ ତାରିଖରେ ସମାନ ଦାବିରେ ଆଠମଲ୍ଲିକ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।
ତେବେ ଘଟଣାର ସାନି ତଦନ୍ତ କରାଯିବ ବୋଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଚିନ୍ତାମଣି ପ୍ରଧାନଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି।