ମୁଖ୍ୟ ଖବର

ଅନୁଗୁଳରେ ରେଳ ସେବାର ଉନ୍ନତି ଦାବି: ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ପୂର୍ବତଟ ରେଳ ବିଭାଗର ସାଧାରଣ ପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

By Biswaranjan Pattnaik

October 29, 2024

ଅନୁଗୁଳ: ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରେ ରେଳ ସେବାର ଉନ୍ନତି ପାଇଁ ବିଭାଗ ପକ୍ଷରୁ ବିଶେଷ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ଅଭିଯୋଗ କରାଯାଇଛି। ଅନୁଗୁଳ ଷ୍ଟେସନରେ କୌଣସି ଲିଫ୍ କିମ୍ବା ଏସ୍କାଲେଟର ( ଚଳନ୍ତି ସିଢ଼ି) ନଥିବାରୁ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ରୋଗୀମାନେ ଯିବା ଆସିବାରେ ବହୁ ଅସୁବିଧା ଭୋଗୁଛନ୍ତି। ଏପରିକି ଅନୁଗୁଳ-ପୁରୀ ମେମୁ ଏବଂ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେକ୍ସରେ ଶୌଚାଳୟ ଗୁଡିକରେ ଆବଶ୍ୟକୀୟ ପାଣି କିମ୍ବା ସଫାସୁତୁରା କରାଯାଉନାହିଁ ।

ଷ୍ଟେସନର ନବୀକରଣ ପାଇଁ ଖୋଳାଯାଇଥିବା ଗାତ ଦୀର୍ଘଦିନ ଧରି ବିପଦ ସଂକୁଳ ଅବସ୍ଥାରେ ଖୋଲା ରହୁଥ‌ିବାରୁ ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ଏଣୁ ଷ୍ଟେସନର ପୂର୍ବ ପାର୍ଶ୍ଵରେ ନିର୍ମିତ ଲିଫ୍ଟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ପଶ୍ଚିମ ପାର୍ଶ୍ଵରେ ଏକ ଲିଫ୍ଟ କିମ୍ବା ଏସ୍କାଲେଟର (ଚଳନ୍ତି ସିଢ଼ି) ନିର୍ମାଣ କରିବା, ଅନୁଗୁଳ-ପୁରୀ ମେମୁ ଟ୍ରେନକୁ ୧ନମ୍ବର ପ୍ଲାଟଫର୍ମରୁ ଛାଡିବା, ଅନୁଗୁଳ-ପୁରୀ ମେମ୍ବୁ ଏବଂ ସମ୍ବଲପୁର- ପୁରୀ ଇଣ୍ଟରସିଟି ଏକ୍ସପ୍ରେକ୍ସରେ ଶୌଚାଳୟ ଗୁଡିକରେ ଆବଶ୍ୟକୀୟ ପାଣି କିମ୍ବା ସଫାସୁତୁରା ରଖୁ, ଷ୍ଟେସନର ନବୀକରଣ କାର୍ଯ୍ୟ ପାଇଁ ଖୋଳାଯାଇଥିବା ଗାତ ସମ୍ପୂର୍ଣ୍ଣ କରି ସମସ୍ତ ନବୀକରଣ କାର୍ଯ୍ୟ ଶୀଘ୍ର ଶେଷ କରିବା, ଷ୍ଟେସନରେ ପ୍ରଥମଶ୍ରେଣୀ ବିଶ୍ରାମଗାର ନିର୍ମାଣ କରିବା ଏବଂ ଆବଶ୍ୟକୀୟ ସ୍ଵଚ୍ଛ ଶୌଚାଳୟ, ଯାତ୍ରୀଙ୍କ ବସିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା, ରାଉରକେଲା-ପୁରୀ ପାସେଞ୍ଜର ଟ୍ରେନ୍‌ରେ ଏକ୍ସପ୍ରେସ୍ଟ ଭଡା ଆଦାୟ ବନ୍ଦକରିବା, ବରିଷ୍ଠ ନାଗରିକ ଏବଂ ଶିଶୁମାନଙ୍କ ପାଇଁ କରୋନା ପୂର୍ବଭଳି ରିହାତି ବ୍ୟବସ୍ଥା ପ୍ରଚଳନ କରିବା, ତାଳଚେର ଷ୍ଟେସନରୁ ଅନୁଗୁଳ ଷ୍ଟେସନ ପର୍ଯ୍ୟନ୍ତ ଲୁପ୍ ଲାଇନ୍ କାର୍ଯ୍ୟ ଶୀଘ୍ର ଶେଷ କରିବା ଏବଂ ବାମୁର ଷ୍ଟେସନରୁ କଟକ ଦେଇ ପୁରୀ ପର୍ଯ୍ୟନ୍ତ ଏକ ନୂତନ ମେମୁ କିମ୍ବା ପାସେଞ୍ଜର ଟ୍ରେନ୍ ଚଳାଚଳ କରାଇବା ଦାବିରେ ଆଜି ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ଏକ ପ୍ରତିନିଧ‌ି ମଣ୍ଡଳୀ ଷ୍ଟେସନ ଅଧ୍ୟକ୍ଷକଙ୍କ ଜରିଆରେ ପୂର୍ବତଟ ରେଳ ବିଭାଗର ସାଧାରଣ ପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ପ୍ରତିନିଧି ମଣ୍ଡଳୀରେ ଅନ୍ୟତମ ଆବାହକ ଅଭିମନ୍ୟୁ ସ୍ଵାଇଁ,ରମେଶ ସାହୁ, ବ୍ରଜବନ୍ଧୁ ସାହୁ, ତୀର୍ଥବାସୀ ଭୋଇ, ତ୍ରେତାନନ୍ଦ ସାମନ୍ତ, ମାନସ ପାଳ, ତ୍ରିଲୋଚନ ଜେନା, ନିରୋଦ ପାଳ,ଜୟସେନ ମେହେର, ଅଶୋକ କୁମାର ପ୍ରଧାନ, ନବକିଶୋର ପ୍ରଧାନ, ପ୍ରଦୀପ କୁମାର ପ୍ରଧାନ, ଦାମୋଦର ଦାସ, ସୁବାସ ପ୍ରଧାନ, ସଞ୍ଜୟ ସାହୁ, କାଳୀଚରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମସ୍ୟାର ସମାଧାନ ନ ହେଲେ ଆଗକୁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କମିଟି ଚେତାବନୀ ଦେଇଛି।