ଅନ୍ୟାନ୍ୟ

ଧାନ ବିକ୍ରୟ କେନ୍ଦ୍ର ସ୍ଥାପନ ପାଇଁ ଉପଜିଲ୍ଲାପାଳଙ୍କୁ ଦାବି କଲେ କୃଷକ

By Angul TV Bureau

July 14, 2022

ଅନୁଗୁଳ: ତାଳଚେର ବ୍ଲକ ବନ୍ତୋଲ ପଞ୍ଚାୟତର ଚାଷୀମାନେ ଧାନ ଅମଳ ତଥା ବିକ୍ରି ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ସ୍ଥାନୀୟ ଅଞ୍ଚଳରେ ଏକ ଧାନ ବିକ୍ରୟ କେନ୍ଦ୍ର ଖୋଲିବାକୁ ଚାଷୀମାନେ ଦାବି କରିଛନ୍ତି।

ଚାଷୀଙ୍କ ଅଭିଯୋଗ ମୁତାବକ, ସେମାନେ ଏବେ ୬ କି.ମି ଦୂର ଗୁରୁଜାଙ୍ଗୁଲି ସ୍ଥିତ ବିକ୍ରୟ କେନ୍ଦ୍ରକୁ ଧାନ ବିକିବାକୁ ଯାଉଛନ୍ତି। ବନ୍ତୋଲ ରେଳ ଫାଟକ ଠାରେ ଅଧିକାଂଶ ସମୟରେ ଗେଟ୍ ପଡ଼ି ରହୁଥିବାରୁ ଯିବା ପାଇଁ ୨ ଘଣ୍ଟା ସମୟ ଲାଗୁଛି। ଫଳରେ ଧାନ ବିକ୍ରୟ କେନ୍ଦ୍ରକୁ ଯିବା ପାଇଁ ଗାଡ଼ି ମିଳୁନାହିଁ । ଯଦି ଗାଡ଼ି ମିଳୁଛି, ତେବେ ଭଡ଼ା ୩ ଗୁଣ ବଢ଼ି ଯାଉଛି। ଏଣୁ ଚାଷୀମାନେ ବାଧ୍ୟ ହୋଇ କ୍ୱିଣ୍ଟାଲ ପିଛା ୧ ହଜାର ଟଙ୍କାରେ ଧାନ ବିକୁଛନ୍ତି। ଏ ସମ୍ପର୍କରେ ପୂର୍ବରୁ ଲିଖିତ ଅଭିଯୋଗ କରାଯାଇଥିଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରୁନାହିଁ। ଏଣୁ ବନ୍ତଳ ଠାରେ ଏକ ଉପ-ଧାନ ବିକ୍ରୟ କେନ୍ଦ୍ର ଖୋଲିବାକୁ ସ୍ଥାନୀୟ ଚାଷୀ ଦାବି କରିଛନ୍ତି। ଏନେଇ ସରପଞ୍ଚ ଜୟନ୍ତୀ ଲତା ପ୍ରଧାନ, ସମିତି ସଭ୍ୟା ଅମ୍ରିତା ପାଣି, ପୂର୍ବତନ ସରପଞ୍ଚ ଅବନ୍ତୀକାନ୍ତ ଦେହୁରୀ ଓ ଯୁବ ନେତା ଶୁଭେନ୍ଦୁ ରଥ ପ୍ରମୁଖ ତାଳଚେର ଉପଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।