ମୁଖ୍ୟ ଖବର

ଖମାର ଟୋଲ ଗେଟ୍ ପାଇଁ ଅସୁବିଧାରେ ପଡ଼ୁଛନ୍ତି ସ୍ଥାନୀୟ ଲୋକ, ଟୋଲ୍ ଛାଡ଼ ପାଇଁ ଦାବି

By Angul TV Bureau

November 20, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ନିକଟସ୍ଥ ଖମାର ଟୋଲ୍ ଗେଟ୍ ସମ୍ପର୍କରେ ଆଜି ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ଯୋଗ ଦେଇ ଖମାର ଟୋଲ ଗେଟ୍ ନିକଟସ୍ଥ ପଞ୍ଚାୟତର ଲୋକ ବ୍ୟବହାର କରୁଥିବା ଗାଡ଼ି ଉପରୁ ଟୋଲ୍ ଛାଡ଼ କରିବାକୁ ଆଲୋଚନା କରିଥିଲେ। ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଖମାର ଟୋଲ ଗେଟ୍ ପାଖ ବାସିନ୍ଦାଙ୍କ ଅଣ ବ୍ୟବସାୟ ଗାଡ଼ିଗୁଡିକରେ ଟୋଲ ଛାଡ଼ କରିବା ପାଇଁ ଏନ୍.ଏଚ୍.ଏ.ଆଇ ଅଧିକାରୀଙ୍କୁ ପ୍ରସ୍ତାବ ଦିଆଯାଇଛି।

ଏହା ବ୍ୟତୀତ ବୈଠକରେ NH-149 ର ଖମାରରୁ ପାଳଲହଡା ରାସ୍ତା ମରାମତି ଏବଂ NH- 49 ଉପରେ ଥ‌ିବା ଓଭର ବ୍ରିଜ୍ ଓ ସର୍ଭିସ୍ ରୋଡର ଶୀଘ୍ର ଆଲୋକୀକରଣ କରିବା ନିମନ୍ତେ ଏନ୍.ଏଚ୍.ଏ.ଆଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁଦୀପ ଗଡ଼ନାୟକ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ପାଳଲହଡା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ, ପାଳଲହଡା ଉପଖଣ୍ଡ ପୋଲିସ ଅଧିକାରୀ କୈଳାଶ ଚନ୍ଦ୍ର ସେଠୀ, ପାଳଲହଡ଼ା ତହସିଲଦାର ଆକାଂକ୍ଷା ମହାପାତ୍ର, ଭୂ-ଅର୍ଜନ ଅଧିକାରୀ ଏନ୍.ଏଚ୍.ଏ.ଆଇ ମନ୍ମଥନାଥ ଦାସ, ତାଳଚେର ଆଂଚଳିକ ପରିବହନ ଅଧିକାରୀ ନିଷ୍ଫଳ କୁମାର ପଟ୍ଟନାୟକ, ଜାତୀୟ ରାଜପଥର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।