ତାଳଚେର: ତାଳଚେର ରେଳବାଇ ଷ୍ଟେସନ ନିକଟସ୍ଥ ବନ୍ତୋଲ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ତଥା ରେଲୱେର କେତେକ ସମସ୍ୟାର ସମାଧାନ କରିବା ନିମନ୍ତେ ଇଷ୍ଟକୋଷ୍ଟ ରେଳବାଇ ମହାପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ଆଜି ସରପଞ୍ଚ ଜୟନ୍ତୀଲତା ପ୍ରଧାନ ଏବଂ ସମିତି ସଭ୍ୟା ଅମ୍ରିତା ପାଣି ଦାବି ପତ୍ର ପଠାଇଛନ୍ତି। ଏଥିରେ ୪ଟି ଦାବି ରହିଛି।
ଦାବି ମୁତାବକ, ବନ୍ତୋଲ ପଞ୍ଚାୟତରେ ପ୍ରାୟ ୩ ହଜାର ପରିବାର ବାସ କରୁଥିବା ବେଳେ ନିକଟରେ ଥିବା ରେଳବାଇ ଫାଟକ ଯୋଗୁଁ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ରେଳବାଇ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଏଣୁ ଥର୍ମାଲ ହାଟ ଠାରୁ ବନ୍ତଳ ଲେବୁଲ କ୍ରସିଂ ଦେଇ ତାଳଚେର ରେଳବାଇ ଷ୍ଟେସନ ଯାଏଁ ନୂତନ ରାସ୍ତା ନିର୍ମାଣ ସହ ଆଲୋକୀକରଣ, ସ୍ଥାନୀୟ ଡିସପେନସରିକୁ ହସପିଟାଲରେ ରୂପାନ୍ତରୀକରଣ, ବନ୍ତୋଲ ରେଳ ଫାଟକ ଠାରେ ଏକ ଅଣ୍ଡର ବ୍ରିଜ ନିର୍ମାଣ, ତାଳଚେର ରେଳବାଇ ଷ୍ଟେସନରେ ନିୟୋଜିତ ଏଜେନ୍ସି ଅଧୀନରେ କାର୍ଯ୍ୟ କରିଥିବା ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ପ୍ରଦାନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଉଲ୍ଲେଖ କରାଯାଇଛି।
ଏ ନେଇ ୨୧ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ସତ୍ୟଭାମା ସାହୁ, ପୂର୍ବତନ ସରପଞ୍ଚ ଅବନୀକାନ୍ତ ଦେହୁରୀ ଓ ଯୁବନେତା ଶୁଭେନ୍ଦୁ ରଥଙ୍କ ସମେତ ଏକ ସ୍ୱତନ୍ତ୍ର ପ୍ରତିନିଧି ମଣ୍ଡଳୀ ଇଷ୍ଟକୋଷ୍ଟ ରେଳବାଇ ମହାପ୍ରବନ୍ଧକ ରୂପ ନାରାୟଣ ସୁନକରଙ୍କୁ ଭେଟି ଦାବିପତ୍ର ପ୍ରଦାନ ପୂର୍ବକ ଆଲୋଚନା କରିଛନ୍ତି।