ମୁଖ୍ୟ ଖବର

ପ୍ରସ୍ତାବିତ କୋଇଲା ଡିପୋ ପାଇଁ ଜମି ଅଧିଗ୍ରହଣକୁ ପ୍ରତ୍ୟାହାର ଦାବି, ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ ବିକ୍ଷୋଭ

By Angul TV Bureau

February 21, 2023

ଅନୁଗୁଳ: ଅବିଳମ୍ବେ ପ୍ରସ୍ତାବିତ କୋଇଲା ଡିପୋ, କୋଲ ୱାସେରୀ ଓ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା ନିଷ୍ପଭିକୁ ପ୍ରତ୍ୟାହାର କରିବା, ପୁରୁଷାନୁକ୍ରମେ ଭୋଗ ଦଖଲ କରି ଆସୁଥିବା ଚାଷ ଜମି ଓ ବାସଜମିକୁ ଦଖଲଦାରଙ୍କୁ ପଟ୍ଟା ଦେବା, ଜରପଡାରେ ଏକ ଶୀତଳଭଣ୍ଡାର ନିର୍ମାଣ କରିବା ଦାବିରେ କୃଷକ ଓ କୃଷିଜମି ସୁରକ୍ଷା କମିଟି, ଜେରେଙ୍ଗ-ଭାଗିରଥପୁର ପକ୍ଷରୁ ଅନୁଗୁଳ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କମିଟି ନେତୃତ୍ବରେ ଅନୁଗୁଳ ଷ୍ଟାଡିୟମ୍ ପଡିଆ ଠାରୁ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚିଲା। କମିଟି ସଭାପତି ଆର୍ତ୍ତତ୍ରାଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ସମ୍ପାଦକ ଭରତ ନାଏକ, ଉପସଭାପତି ଚରଣ ବେହେରା, ମଣି ନାଏକ, ଚିତ୍ତରଞ୍ଜନ ପାଣି, ବିଶ୍ଵନାଥ ନାଏକଙ୍କ ସହ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ନବକିଶୋର ପ୍ରଧାନ, ସୁବାସ ପ୍ରଧାନ, ତୀର୍ଥବାସୀ ଭୋଇ, ମାନସ ପାଳ, ରଣଜିତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

ଏ ଅବସରରେ ଜେରେଙ୍ଗ ଦେହୁରୀସାହି ପଞ୍ଚାୟତର ଭାଗିରଥପୁର ମୌଜା, ଦୁର୍ଗାପୁର ପଞ୍ଚାୟତର ପାଣସାହି ମୌଜା, ଜରପଡା ପଞ୍ଚାୟତର କୁମୁରସିଙ୍ଗ ମୌଜାରେ ପ୍ରସ୍ତାବିତ କୋଇଲା ଡିପୋ, କୋଲ୍ ୱାସେରୀ ଓ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଅଧଗ୍ରହଣ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବାତିଲ କରିବାକୁ ଦାବି କରାଯାଇଛି। ବିକ୍ଷୋଭସ୍ଥଳରୁ ଏକ ପ୍ରତିନିଧି ଦଳ ଯାଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବାସହ ଆଲୋଚନା କରିଥିଲେ। ତେବେ ପ୍ରଶାସନ ଜମି ଅଧିଗ୍ରହଣ ପ୍ରକ୍ରିୟା ବାତିଲ ନକଲେ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।