ଅନ୍ୟାନ୍ୟ

ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜସ୍ବ କମିଶନରଙ୍କୁ ଦାବିପତ୍ର

By Angul TV Bureau

September 01, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଉତ୍ତର କେନ୍ଦ୍ରାଞ୍ଚଳ ରାଜସ୍ବ କମିସନରଙ୍କୁ ଭେଟି ସହରର ଉନ୍ନତିକରଣରେ ପ୍ରଶାସନିକ ଉଦାସୀନତା ଅଭିଯୋଗ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ମଙ୍ଗଳବାର ଏମ୍‌ସିଏଲ୍ ଆର୍‌ପିଡିଏସି ବୈଠକ ଅବସରରେ ଆର୍‌ଡିସି ଅନୁଗୁଳ ଗସ୍ତରେ ଆସିଥିବା ବେଳେ କଂଗ୍ରେସ ପ୍ରତିନିଧି ଦଳ ସ୍ଥାନୀୟ ସର୍କିଟ୍ ହାଉସଠାରେ ଭେଟିଥିଲେ। ଅନୁଗୁଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟିଥିବା ବେଳେ ଏହାର ମରାମତି ପ୍ରତି ଗୁରୁତ୍ଵ ଦିଆନଯାଇ ସୌନ୍ଦର୍ଯ୍ୟକରଣ ଆଳରେ ରାସ୍ତା ସଂକୁଚିତ କରାଯାଉଛି। ଜଗନ୍ନାଥ ମନ୍ଦିରଠାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ରଥଯାତ୍ରା ତଥା ଅନ୍ୟାନ୍ୟ ପୂଜା ପାର୍ବଣରେ ଗହଳିଚହଳି ଲାଗିଥାଏ। ସୌନ୍ଦର୍ଯ୍ୟକରଣ ଯୋଗୁଁ ରାସ୍ତା ସଂକୁଚିତ କରାଯାଇଥିବାରୁ ଆଗାମୀ ଦିନରେ ସମସ୍ୟା ସୃଷ୍ଟି ହେବ ବୋଲି କଂଗ୍ରେସ ପକ୍ଷରୁ ଆର୍‌ଡିସିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ପ୍ରଶାସନ ଏହି କାମକୁ ମାତ୍ରାଧିକ ଗୁରୁତ୍ଵ ଦେଉଥିବା ବେଳେ ସହରର ଅନ୍ୟାନ୍ୟ ରାସ୍ତା ଓ ଡ୍ରେନ୍‌ଗୁଡିକ ପ୍ରତି ଧ୍ୟାନ ଦିଆଯାଉନାହିଁ । ଜିଲ୍ଲା ଖଣିଜ ପାଣ୍ଠି ଅର୍ଥ ମନଇଚ୍ଛା ଖର୍ଚ୍ଚ ହେଉଛି। ସହରରେ ପାର୍କିଂ ସମସ୍ୟା ଗୁରୁତର ହୋଇଥିବା ବେଳେ ପ୍ରତ୍ୟେକ ରାସ୍ତାରେ ଉଜ୍ଜଳ ଆଲୋକ ବ୍ୟବସ୍ଥା ନାହିଁ । ନୂତନ ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ କଚ୍ଛପ ଗତିରେ ଚାଲୁଥିବାରୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରାଯିବା, ଷ୍ଟାଡିୟମର ପାଚେରୀ ଓ ଗ୍ୟାଲେରୀ ନିର୍ମାଣ କରାଯିବାକୁ କଂଗ୍ରେସ ପ୍ରତିନିଧି ଦଳ ଦାବି କରିଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଜନଆନ୍ଦୋଳନ କରିବାକୁ କଂଗ୍ରେସ ପକ୍ଷରୁ କୁହାଯାଇଛି। ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ରମେଶ ଚନ୍ଦ୍ର ପ୍ରଧାନ, ତପନ ପ୍ରଧାନ, ଆଇନଜୀବୀ ଚିତ୍ତରଂଜନ ନାଏକ, ଜିଲ୍ଲା ପଛୁଆ ବର୍ଗ ସେଲର ଅଧ୍ୟକ୍ଷ ଜିତେନ୍ଦ୍ର ସାହୁ, ଆଇନ ସେଲ ଅଧ୍ୟକ୍ଷ ଧର୍ମେନ୍ଦ୍ର ମିଶ୍ର, ମିଡିଆ ସେଲ ଅଧ୍ୟକ୍ଷ ଗୋପାଳ ନାଥ, ଏସସି ସେଲ ଅଧ୍ୟକ୍ଷ ନୀଳକଣ୍ଠ ନାଏକ, କୋଷାଧ୍ୟକ୍ଷ ସଂଜିବ ମାଣ୍ଡାଠିଆ, ବ୍ଳକ୍ କଂଗ୍ରେସ ସଭାପତି ଅମୂଲ୍ୟ ବେହେରା, ବିନୋଦ ମାଝି ପ୍ରମୁଖ ସାମିଲ ଥିଲେ ବୋଲି କଂଗ୍ରେସ ପକ୍ଷରୁ ପ୍ରେସ୍ ବିବୃତ୍ତିରେ ସୂଚନା ଦିଆଯାଇଛି।