ତାଳଚେର : ରେଳବାଇ ଯୋଗୁଁ ତାଳଚେର ବ୍ଲକ ବନ୍ତୋଲ ପଞ୍ଚାୟତରେ ଉପୁଜିଥିବା ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ବନ୍ତୋଲ ସରପଞ୍ଚ ଜୟନ୍ତୀଲତା ପ୍ରଧାନ ଓ ସମିତି ସଭ୍ୟା ଅମ୍ରିତା ପାଣିଙ୍କ ତରଫରୁ ଏକ ପ୍ରତିନିଧିମଣ୍ଡଳୀ ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ମନୋଜ ଶର୍ମାଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି। ବନ୍ତୋଲ ପଞ୍ଚାୟତବାସୀଙ୍କ ଅଭିଯୋଗ ଅନୁସାରେ, ବନ୍ତୋଲ ଗ୍ରାମ ନିକଟରେ ଯାଇଥିବା ରେଳବାଇ ଫାଟକ ଦ୍ୱାରା ବହୁ ସମସ୍ୟା ଉପୁଜୁଛି। ରେଳ ଫାଟକ ଦୀର୍ଘ ସମୟ ଧରି ପଡି ରହୁଥିବା ବେଳେ ରେଳ ବିଭାଗ ଏଠାରେ ସଠିକ ଟାଇଲ ନ ପକାଇବା ଦ୍ୱାରା ବହୁ ଲୋକେ ପଡି ଛୋଟବଡ଼ ଦୁର୍ଘଟଣାର ଶିକାର ହେଉଛନ୍ତି। ସେହିପରି ବହୁବାର ଲିଖିତ ଅଭିଯୋଗ ପରେ ମଧ୍ୟ ବନ୍ତୋଲ ଅଣ୍ଡରପାସ ବ୍ରିଜ ନହେବା ଦ୍ୱାରା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ସ୍କୁଲ, କଲେଜ ଛାତ୍ରଛାତ୍ରୀ, ରୋଗୀ ଓ ଚାଷୀ ବହୁ ସମୟ ଅଟକି ରହୁଛନ୍ତି। ଫଳରେ ବହୁ ଅସୁବିଧା ଭୋଗୁଛନ୍ତି। ରେଳ ବିଭାଗ ତରଫରୁ ନୂତନ ତୃତୀୟ ଓ ଚତୁର୍ଥ ଲାଇନ କାର୍ଯ୍ୟ କରାଯିବା ଦ୍ୱାରା ପଞ୍ଚାୟତର ପାଣି ସ୍ରୋତ, ପୋଖରୀ, ନାଳ ଆଦି ବନ୍ଦ କରିବା ଦ୍ୱାରା ଅସମୟରେ ଅଦିନିଆ ବର୍ଷା ଦ୍ୱାରା କୃତ୍ରିମ ବନ୍ୟା ସୃଷ୍ଟି ହେଉଛି।
ଏଥିସହ ତାଳଚେର ରେଳ ଷ୍ଟେସନରେ ନିୟୋଜିତ ଠିକା ଶ୍ରମିକଙ୍କ ନିଯୁକ୍ତି କ୍ଷେତ୍ରରେ ବନ୍ତୋଲ ଗ୍ରାମପଂଚାୟତକୁ ଅଗ୍ରାଧିକାର ଆଧାରରେ ସୁଯୋଗ ମିଳୁନାହିଁ ବୋଲି ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏଣୁ ଏଗୁଡ଼ିକୁ ଗୁରୁତର ସମସ୍ୟା ବିଚାର କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରାଯାଇଛି। ଦାବି ପତ୍ର ପ୍ରଦାନ ବେଳେ ପୂର୍ବତନ ସରପଞ୍ଚ ଅବନୀକାନ୍ତ ଦେହୁରୀ, ବିଜେଡି ଯୁବ ନେତା ଶୁଭେନ୍ଦୁ ରଥ ଓ ପୂର୍ବତନ ସମତି ସଭ୍ୟ ଦୋଳଗୋବିନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।