ତାଳଚେର : ତାଳଚେର ପୌରାଞ୍ଚଳ ରେମୁଆଁ ଗାଁର ୫ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ସୋମବାର ରେମୁଆଁ ବସ୍ତି ଉନ୍ନୟନ ସଂଘ ତରଫରୁ ଏମସିଏଲ ଲିଙ୍ଗରାଜ କ୍ଷେତ୍ର ମହାପ୍ରବନ୍ଧକଙ୍କୁ ପ୍ରଦାନ କରାଯାଇଛି। ଖଣି ନିକଟରେ ଥିବା ଟ୍ରକମାନଙ୍କରେ ଲୋଡ଼ିଂ ତଥା ଚଳପ୍ରଚଳ ଯୋଗୁଁ ରେମୁଆଁ ଅଞ୍ଚଳରେ ପ୍ରବଳ ମାତ୍ରାରେ ଧୂଳି ଉଡ଼ି ପରିବେଶ ପ୍ରଦୂଷିତ ହେଉଛି।
ଏହାକୁ ଦୃଷ୍ଟିରେ ରଖି ଜଳ ସିଞ୍ଚନ କରାଯିବା ସହ ରାସ୍ତାର ଉଭୟ ପାର୍ଶ୍ୱରୁ ଧୂଳି ସଫା କରିବାକୁ ଦାବି ହେଉଛି। ଏଥିସହ ଏମସିଏଲ ପକ୍ଷରୁ ଗାଁରେ ଏକ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରିବା, ଗାଁରେ ବିଶୁଦ୍ଧ ପାନୀୟଜଳ ଯୋଗାଣ ଯନ୍ତ୍ର ସ୍ଥାପନ କରିବା, ଲିଙ୍ଗରାଜ ରୋଡ଼ ଓ ରେମୁଆଁ ଅଞ୍ଚଳରେ ଆଲୋକୀକରଣ ବ୍ୟବସ୍ଥା କରିବା, ଲିଙ୍ଗରାଜ ରୋଡ଼ ପାଖରେ ଏମସିଏଲ ଜାଗାକୁ ଦଖଲ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଜବରଦଖଲ ଉଚ୍ଛେଦ କରିବା, ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାକୁ ଦାବି ହୋଇଛି।
ରେମୁଆଁ ବସ୍ତି ଉନ୍ନୟନ ସଂଘର କାର୍ଯ୍ୟକର୍ତ୍ତା ଓ ସଦସ୍ୟାମାନେ ଲିଙ୍ଗରାଜ କ୍ଷେତ୍ର ମହାପ୍ରବନ୍ଧକ ଅଜୟ କୁମାର ଦେହୁରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବା ସହ ଆଲୋଚନା କରିଛନ୍ତି। ତେବେ ମହାପ୍ରବନ୍ଧକ ଏହି ଦାବିଗୁଡ଼ିକ ଉପରେ ଶୀଘ୍ର ବିଚାର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।