ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଦେଇ ଯାଇଥିବା ୧୪୯ ନଂ ରାଜପଥର ତାଳବେଡା ଛକ ଠାରୁ ବଅଁରପାଳ ଛକ ପର୍ଯ୍ୟନ୍ତ ରାସ୍ତାକୁ ଚଉଡ଼ା କରିବାକୁ କାମ ଶୀଘ୍ର ଆରମ୍ଭ କରିବାକୁ ବିଭିନ୍ନ ପଂଚାୟତବାସୀଙ୍କ ପକ୍ଷରୁ ଅନୁଗୁଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯାଇଛି।
ଦାବିପତ୍ର ମୁତାବକ, ବଅଁରପାଳ ଠାରୁ ତାଳଚେର ବ୍ଲକ ତାଳବେଡା ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଦୈନିକ ସଡକ ଦୁର୍ଘଟଣା ଘଟି ବହୁ ମୂଲ୍ୟବାନ୍ ଧନଜୀବନ ନଷ୍ଟ ହେଉଛି। ବିଗତ ୨୫ ବର୍ଷ ମଧ୍ୟରେ ଜାତୀୟ ରାଜପଥରେ ପ୍ରାୟତଃ ଏକ ହଜାରରୁ ଊର୍ଦ୍ଧ୍ୱ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଛି। ବହ୍ଲର ଛକ ଠାରୁ ଚାଇଁପାଳ ପର୍ଯ୍ୟନ୍ତ ରାସ୍ତାଟି ଅତ୍ୟନ୍ତ ଖରାପ ହୋଇଥିବାରୁ ଅତିଶୀଘ୍ର ମରାମତି କରିବାକୁ ଦାବି ହୋଇଛି। ଜାତୀୟ ରାଜପଥ ସମସ୍ୟାର ସମାଧାନ ଯଥାଶୀଘ୍ର କରାନଗଲେ ବାଧ୍ୟ ହୋଇ ତାଳଚେର ମ୍ୟୁନିସିପାଲିଟି ଅଂଚଳ ଏବଂ ସମସ୍ତ ପଂଚାୟତବାସୀଙ୍କ ପକ୍ଷରୁ ଆସନ୍ତା ଡିସେମ୍ବରରେ ରାଜପଥ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି। ଆଜିର ଏହି ଦାବିପତ୍ର ପ୍ରଦାନ ବେଳେ ବିଜୟ ପ୍ରଧାନ, ଶୁଭେନ୍ଦୁ ରଥ, ସୁଶାନ୍ତ ମହାନ୍ତି, ବିଭୂତି ପରିଡ଼ା, ସୁଶାନ୍ତ ସାମଲ, ପ୍ରତାପ ସାମଲ, ରମାକାନ୍ତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।