ମୁଖ୍ୟ ଖବର

କମିଗଲାଣି ଢିଙ୍କିର ଚାହିଦା, ଆଉ ଶୁଭୁନି ଢିଙ୍କି ପାହାରର ଗମ୍ଭୀର ନାଦ

By Angul TV Bureau

June 23, 2024

ଅନୁଗୁଳ: ଢିଙ୍କି ଦେ ଦୁଲୁକେଇ ଲୋ ସମ୍ମା କୁଟେ ଧାନ… ଢିଙ୍କିକୁ ନେଇ ଏହି ଗୀତ ଅତୀତରେ ବେଶ୍ ଲୋକପ୍ରିୟ ହୋଇଥିଲା। ଢିଙ୍କିର ବହୁଳ ବ୍ୟବହାର ହେତୁ ଲୋକେ କୌତୁହଳରେ ଏହାକୁ ନେଇ ଢଗଢମାଳି ମଧ୍ୟ କରିଥିଲେ। ଉଦାହରଣ ସ୍ୱରୂପ – ‘ଢିଙ୍କିଶାଳରୁ ଢେଙ୍କାନାଳ’, ‘ଘର ଢିଙ୍କି କୁମ୍ଭୀର’ ଇତ୍ୟାଦି। ତେବେ ପୂର୍ବରୁ ବହୁ ଲୋକାଦୃତ ଲାଭ କରିଥିବା ଏହି ଢିଙ୍କିର ଚାହିଦା ବହୁତ କମି ଯାଇଛି, ଆଉ ନାହିଁ କହିଲେ ଚଳେ। ଏବେ ଢିଙ୍କିର ସ୍ଥାନ ନେଇଛି କଳ ଓ ଗ୍ରାଇଣ୍ଡର। ଲୋକମାନେ ନିଜେ କୁଟାକୁଟି କରିବା ବନ୍ଦ କରି ଦେବାରୁ ଢିଙ୍କିର ବ୍ୟବହାର ବି କମିଯାଇଛି। ଏଣୁ ଏକଦା ଅତ୍ୟାବଶ୍ୟକ ଥିବା ଏହି ଜିନିଷଟି ଏବେ ଅଲୋଡ଼ା ହୋଇଯାଇଛି।

ଆଗରୁ ଓଡ଼ିଶାର ଘରେ ଘରେ ଅବସ୍ଥାନ କରୁଥିଲା ଢିଙ୍କି। ଗ୍ରାମାଞ୍ଚଳରେ ଶୀତୁଆ ପାହାନ୍ତାରେ ଢିଙ୍କି ପାହାରର ଗମ୍ଭୀର ନାଦ ଶୁଣିବାକୁ ମିଳୁଥିଲା। କିନ୍ତୁ ଆଜିର ବିଜ୍ଞାନ ଯୁଗରେ ଆଧୁନିକ ଧାନ ପେସା କଳ ବାହାରିବା ପରଠୁ ଆମ ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡ଼ିତ ଥିବା ଢିଙ୍କିର ଅସ୍ତିତ୍ବ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I ଢିଙ୍କି ପ୍ରଥମେ ଧାନରୁ ଚୋପାକୁ ୨ ଫାଳ କରି ବାହାର କରୁଥିଲା। ଏହାକୁ ଚଷୁ ବୋଲି କୁହାଯାଏ। ଏଥିରୁ ବାହାରୁଥିବା ଚାଉଳ ବଗଡ଼ା ହେଉଥୁବାରୁ ତହିଁରେ ଭିଟାମିନ୍ ମଧ୍ଯ ଭରପୂର ମାତ୍ରାରେ ରହୁଥିଲା। ଏହାର ବିପରୀତ ହେଉଛି କଳକୁଟା ଚାଉଳ। ଏଥିରେ ଚାଉଳ ଅଧିକ ପରିଷ୍କାର ଓ ଚିକ୍କଣ ହେବା ସହ ଅଳ୍ପ ସମୟ ଭିତରେ ଅଧିକ ପରିମାଣରେ ଚାଉଳ ପେସା ହୋଇପାରୁଛି। ଏଣୁ ଢିଙ୍କିର ଆଦୃତି କ୍ରମାଗତ କମିବାରେ ଲାଗିଛି।

ତେବେ ୮୦ ଦଶକ ପରଠୁ ଢିଙ୍କି କ୍ରମଶଃ ଲୁପ୍ତ ହୋଇ ଏବେ ନିଶ୍ଚିହ୍ନ ହେବାକୁ ବସିଛି। ଆଉ କିଛିଦିନ ପରେ ବୋଧେ ଢିଙ୍କିକୁ ଲୋକେ ଭୁଲିଯିବେ, କେବଳ ସଂଗ୍ରହାଳୟରେ ଏହା ସାଇତା ହେବ ବୋଲି ମତ ପ୍ରକାଶ ପାଇଛି।