ଅନ୍ୟାନ୍ୟ

ହୋଲଡିଂ ଟ୍ୟାକ୍ସ ଓ ଟ୍ରେଡିଂ ଲାଇସେନ୍ସ ପାଇଁ ମ୍ୟୁନିସିପାଲଟିର ମୌଖିକ ନିର୍ଦ୍ଦେଶକୁ ବ୍ୟବସାୟୀ ସଂଘର ବିରୋଧ, ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବାକୁ ନଗରପାଳଙ୍କୁ ଦାବି

By Biswaranjan Pattnaik

September 01, 2022

ଅନୁଗୁଳ: ଅନୁଗୁଳ ପୌରପାଳିକା ପକ୍ଷରୁ ସମସ୍ତ ବ୍ୟବସାୟୀଙ୍କୁ ହୋଲଡିଂ ଟ୍ୟାକ୍ସ ଓ ଟ୍ରେଡିଂ ଲାଇସେନ୍ସ କରିବାକୁ କୁହାଯାଇଛି। ଏ ନେଇ ବିଧିବଦ୍ଧ ଭାବେ ଲିଖିତ ରୂପେ କୌଣସି ବିଜ୍ଞପ୍ତି ଜାରି ନ କରି ପୌରପାଳିକା ମୌଖିକ ଭାବେ ଦୋକାନୀଙ୍କୁ ଏହି ନିର୍ଦ୍ଦେଶ ଦେଇଥିବାରୁ ସ୍ଥାନୀୟ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଣୁ ଏ ବାବଦରେ ଅନୁଗୁଳ ପୌରପାଳିକା ନିୟମ ମୁତାବକ ବିଜ୍ଞପ୍ତି ଜାରି କରିବାକୁ ବ୍ୟବସାୟୀ ସଂଘ ଦାବି କରିଛି।

ଏଥିସହ ହୋଲଡିଂ ଟ୍ୟାକ୍ସ ଓ ଟ୍ରେଡିଂ ଲାଇସେନ୍ସ ପାଇଁ ଆବେଦନ ପ୍ରକ୍ରିୟା ବାବଦରେ ସ୍ପଷ୍ଟ ଭାବେ ଲିଖିତ ଆକାରରେ ଜଣାଇବାକୁ ଦାବି କରାଯାଇଛି। ଏହି ଲାଇସେନ୍ସ ପାଇଁ ବ୍ୟବସାୟୀଙ୍କୁ ଅନ୍ୟୁନ ମାସେ ସମୟ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି। ସେହିପରି ଏହି ପ୍ରକ୍ରିୟା ପାଇଁ ଜଣେ ଅଧିକାରୀଙ୍କୁ ନିୟୋଜିତ କରିବା ଓ ଅଶିକ୍ଷିତ ବ୍ୟବସାୟୀଙ୍କ ପାଇଁ ହେଲ୍ପ ଡେସ୍କ ଖୋଲିବାକୁ ନଗରପାଳଙ୍କୁ ଦାବି କରିଛି ବ୍ୟବସାୟୀ ସଂଘ।