ମୁଖ୍ୟ ଖବର

ପଦ୍ମପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ପରେ ତାଳଚେରକୁ ମଧ୍ୟ ଜିଲ୍ଲା ଘୋଷଣା କରିବାକୁ ଦାବି

By Angul TV Bureau

November 19, 2022

ତାଳଚେର : ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଏହାକୁ ରାଜ୍ୟର ୩୧ ତମ ଜିଲ୍ଲା ଘୋଷଣା କରିବାକୁ ବିବୃତି ଦେବା ପରେ ଏବେ ତାଳଚେରକୁ ଜିଲ୍ଲା ଘୋଷଣା କରିବାକୁ ଦାବି ଜୋର ଧରିଛି। ତାଳଚେର ଜନବିକାଶ କଲ୍ୟାଣ ସଂଘ ତାଳଚେରର ପୌରାଞ୍ଚଳ ବ୍ଲକ ମଧ୍ୟରେ ଥିବା ସ୍ୱେଚ୍ଛାସେବୀ ସଂଗଠନ, ଯୁବକ ସଂଘ, ମହିଳା ସଂଗଠନ, ଚାରିଟେବୁଲ ଟ୍ରଷ୍ଟ, ବୁଦ୍ଧିଜୀବୀ ଓ ସମସ୍ତ ପ୍ରେସ ସଂଘ ତାଳଚେରକୁ ବି ଜିଲ୍ଲା ଘୋଷଣା କରିବାକୁ ଦାବି କରିଛନ୍ତି।

ଜିଲ୍ଲା ହେବା ପାଇଁ ତାଳଚେର ଏକଦମ୍ ହକଦାର ଓ ଜିଲ୍ଲା ବନିବା ପାଇଁ ସବୁ ପ୍ରକାର ମାପଦଣ୍ଡକୁ ବି ପୂରଣ କରୁଛି। ତାଳଚେରରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଘରୋଇ କଳକାରଖାନା ମଧ୍ୟରୁ ଏନଟିପିସି, ଟିଟିପିସ/ଏନଟିପିସି, ଅଧା ଭାରତକୁ ଆଲୋକିତ କରୁଥିବା ବେଳେ ଏମସିଏଲ ଜାତୀୟ ସ୍ତରରେ ଉର୍ଜା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ତାଳଚେର ଜିଲ୍ଲା ହେଲେ ତାଳଚେର ସମେତ ପରଜଙ୍ଗ, ପାଳଲହଡ଼ାବାସୀ ମଧ୍ୟ ସୁଫଳ ପାଇପାରନ୍ତେ ବୋଲି ସଂଘର ସଭାପତି ଭୂପେନ ଥମ୍ବ ଦାବି କରିଛନ୍ତି। ତାଳଚେର ବାସୀଙ୍କ ଦାବି ପୂରଣ ଦିଗରେ ପଦକ୍ଷେପ ନନେଲେ ଆଗାମୀ ଦିନରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସଂଘ ଚେତାବନୀ ଦେଇଛି।