ମୁଖ୍ୟ ଖବର

ପୁରୁଣା ବସଷ୍ଟାଣ୍ଡ ଦେଇ ସମସ୍ତ ବସ୍ ଚଳାଚଳ କରିବା ଦାବିରେ ୫-ଟି ସଚିବଙ୍କୁ ଦାବିପତ୍ର

By Angul TV Bureau

July 12, 2023

ଅନୁଗୁଳ: ପୁରୁଣା ବସଷ୍ଟାଣ୍ଡ ଦେଇ ସମସ୍ତ ବସ୍ ଚଳାଚଳ କରିବା, ମ୍ୟୁନିସିପାଲିଟି ଗୃହଗୁଡିକୁ ଭାଙ୍ଗି ବୃହତ କମ୍ପାନୀମାନଙ୍କ ସପିଂ ମଲ୍ କରିବା ଯୋଜନା ବନ୍ଦ କରିବା, ପୁରୁଣା ବସଷ୍ଟାଣ୍ଡର ବ୍ୟବସାୟୀଙ୍କ ଜୀବନ ଜୀବିକା ସୁରକ୍ଷା କରିବା ଆଦି ଦାବିରେ ଅନୁଗୁଳ ପୁରୁଣା ବସଷ୍ଟାଣ୍ଡ ବ୍ୟବସାୟୀ ସଂଘ ପକ୍ଷରୁ ସୋମବାର ସନ୍ଧ୍ୟାରେ ଅନୁଗୁଳ ସର୍କିଟ୍ ହାଉସ୍ ଠାରେ ୫-ଟି ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ଅନୁଗୁଳ ସହରସ୍ଥ ତାମ୍ରିତ୍ କଲୋନୀ ସଂଲଗ୍ନ ଅଞ୍ଚଳରେ ପି.ପି.ପି.ରେ ନୂତନ ବସଷ୍ଟାଣ୍ଡ ହେବା ପରେ ପୁରୁଣା ବସଷ୍ଟାଣ୍ଡକୁ ଘରୋଇ ବସ୍ ଚଳାଚଳ ନ କରିବାରୁ ଯାତାୟାତ କରିବା କ୍ଷେତ୍ରରେ ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୁରୁଣା ବସଷ୍ଟାଣ୍ଡକୁ ବସଗୁଡ଼ିକ ନ ଆସିବା ଯୋଗୁଁ ବ୍ୟବସାୟୀଙ୍କ ବେପାର ବାଣିଜ୍ୟ ହ୍ରାସ ପାଇବାରେ ଲାଗିଛି। ମ୍ୟୁନିସିପାଲିଟି ଗୃହଗୁଡିକୁ ଭାଙ୍ଗି ବୃହତ କମ୍ପାନୀମାନଙ୍କ ସପିଂମଲ୍ କରିବାକୁ ଯେଉଁ ଯୋଜନା ଚାଲିଛି, ତାଫଳରେ ବ୍ୟବସାୟୀମାନେ ହାତ ବାନ୍ଧି ବସିବା ସହିତ ୧୬୦୦ ପରିବାରର କାମ ଚାଲିଯିବ। ଏଣୁ ସେମାନଙ୍କ ଜୀବନ ଜୀବିକା ସୁରକ୍ଷା କରିବା ପାଇଁ ଅନୁଗୁଳ ପୁରୁଣା ବସଷ୍ଟାଣ୍ଡ ବ୍ୟବସାୟୀ ସଂଘ ପକ୍ଷରୁ ଏହା ପୂର୍ବରୁ ଅନୁଗୁଳ ଜିଲ୍ଲାପାଳ, ଉପବାଚସ୍ପତି ରଜନୀକାନ୍ତ ସିଂହ, ଢେଙ୍କାନାଳ ସାଂସଦ ମହେଶ ସାହୁ ଏବଂ ବିଜୁ ଜନତା ଦଳ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ରାଉତ, ଦେବୁ ମହାନ୍ତି, ନିରଞ୍ଜନ ନାୟକ, ସଞ୍ଜୟ ନନ୍ଦ, ଶୁଭ୍ରାଂଶୁ ଶୋଭନ ସାହୁ, ନକୁଳ ସାହୁ, ଭଗବାନ ବାରିକ, ବିଷ୍ଣୁଚରଣ ସାହୁ, ହିମାଂଶୁ ଶେଖର ଦାସ ପ୍ରମୁଖ ଉପସ୍ଥିତ ଥିଲେ।