ମୁଖ୍ୟ ଖବର

ପାନୀୟ ଜଳ ସମସ୍ୟାର ସମାଧାନ ନିମନ୍ତେ ଏମସିଏଲ ଲିଙ୍ଗରାଜ କ୍ଷେତ୍ର ମହାପ୍ରବନ୍ଧକଙ୍କୁ ଦାବି, ୮ଦିନ ଭିତରେ ପାଣି ବ୍ୟବସ୍ଥା ନ କଲେ ହେବ ରାସ୍ତାରୋକ

By Angul TV Bureau

February 10, 2023

ତାଳଚେର: ଏମସିଏଲ୍ ଲିଙ୍ଗରାଜ କୋଇଲାଖଣି ନିକଟସ୍ଥ ତାଳବେଡ଼ା ଉପରସାହି (ସୌଭାଗ୍ୟନଗର) ରେ ଉପୁଜିଥିବା ପାନୀୟ ଜଳ ସମସ୍ୟାର ସମାଧାନ ନିମନ୍ତେ ସ୍ଥାନୀୟ ଲୋକ ଲିଙ୍ଗରାଜ କ୍ଷେତ୍ର ମହାପ୍ରବନ୍ଧକଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ସୂଚନା ମୁତାବକ, କୋଇଲା ଖଣି ଅତି ନିକଟରେ ହୋଇଥିବାରୁ ଏହି ସ୍ଥାନରେ ପ୍ରାୟ ଅକ୍ଟୋବର ମାସ ଆଡୁ କୂଅ ପାଣି ଶୁଖି ଯାଉଛି । ତେଣୁ ଲୋକେ ପାଣି ମୁନ୍ଦାଏ ପାଇବା ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅତି ନିକଟରେ ସେଣ୍ଟ୍ରାଲ କୋଲ କରିଡ଼ର ରାସ୍ତା ଥିବାରୁ ଦୈନିକ ହଜାର ହଜାର ଟ୍ରକ୍ ଯିବା ଆସିବା ଯୋଗୁଁ ପୋଖରୀ ପାଣି ଏବଂ ଘରଦ୍ୱାର କୋଇଲା ଗୁଣ୍ଡରେ ଆଚ୍ଛାଦିତ ହେଉଛି। ଏ ନେଇ ଲିଙ୍ଗରାଜ କ୍ଷେତ୍ରର ଜଳଯୋଗାଣ ବିଭାଗରେ ଥିବା ଯନ୍ତ୍ରୀଙ୍କୁ ବାରମ୍ବାର କହିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଘର ପାଖାପାଖି କୌଣସି ସରକାରୀ କୂଅ ନାହିଁ । ଏଣୁ ଘର ଚାରିପାଖ ପ୍ରାୟ ୫/୬ ଟି ପରିବାର ନିଜ କୂଅ ଉପରେ ନିର୍ଭର କରି ଚଳୁଛନ୍ତି। ଏଣୁ ଏହି ଅଞ୍ଚଳକୁ ପାଣି ଯୋଗାଇବାକୁ ଗାଁ ଲୋକ ଦାବି କରିଛନ୍ତି। ୮ ଦିନ ମଧ୍ୟରେ ଏମସିଏଲ ତରଫରୁ କୌଣସି ପଦକ୍ଷେପ ନିଆ ନଗଲେ ସେମାନେ ବାଧ୍ୟ ହୋଇ କୋଇଲା ପରିବହନ ରାସ୍ତା ଅବରୋଧ କରିବେ ବୋଲି ତାଳବେଡ଼ା (ସୌଭାଗ୍ୟନଗର) ର ଗ୍ରାମବାସୀ ଚେତାବନୀ ଦେଇଛନ୍ତି।