ଅନୁଗୋଳ : ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ଛଟେଇ ବନ୍ଦ ସହ ବହିଷ୍କୃତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବିରେ ଅନୁଗୋଳରେ ପ୍ରତିବାଦ ଜଣାଇଛି ଓଡ଼ିଶା ବିଦ୍ୟୁତ୍ ଠିକା କର୍ମଚାରୀ ମିଳିତ ମଞ୍ଚ। ଏନେଇ ସଂଘର କାର୍ଯ୍ୟକର୍ତ୍ତାମାନେ ଶୁକ୍ରବାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି।
ଟିପିସିଓଡିଏଲ୍ର ମନମାନି ବନ୍ଦ କରିବା, ଶ୍ରମିକଙ୍କ ନିଯୁକ୍ତି ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବାକୁ ସଂଘ ଦାବି କରିଛି। ଏହି ଦାବି ନେଇ ମିଳିତ ମଞ୍ଚର ଆହ୍ୱାନରେ ରାଜ୍ୟବ୍ୟାପୀ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ କରାଯାଉଛି।
ସରକାର ଏ ଦିଗରେ ଶୀଘ୍ର ପଦକ୍ଷେପ ନ ନେଲେ ବିଦ୍ୟୁତ୍ ଭଳି ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଠିକା ଶ୍ରମିକମାନେ ଗାଣତାନ୍ତ୍ରିକ ପଦ୍ଧତିରେ କାମ ବନ୍ଦ ଆନ୍ଦୋଳନ କରିବେ ବୋଲି ସଂଘର କାର୍ଯ୍ୟକର୍ତ୍ତା ସତ୍ୟାନନ୍ଦ ମହାନ୍ତି, ଦୀପକ କୁମାର ସିଂହ, ଦିଲ୍ଲୀପ ସାସମଲ, ଅଶ୍ୱିନୀ ଶତପଥୀ, ଜିତେନ୍ଦ୍ର ମହାନ୍ତି ଓ ପ୍ରିୟବ୍ରତ ବେହେରା ଚେତାବନୀ ଦେଇଛନ୍ତି।