ଅନ୍ୟାନ୍ୟ

ସମସ୍ତ ଉଠା ଦୋକାନୀଙ୍କୁ ସହାୟତା ଦାବି

By Biswaranjan Pattnaik

June 19, 2021

ଅନୁଗୁଳ:ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାର ଉଠା ଦୋକାନୀଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ମାତ୍ର ଅନୁଗୁଳ ପୌରାଞ୍ଚଳରେ ପୁରଣା ପଞ୍ଜିକରଣକୁ ଆଧାର କରି ଏହି ସହାୟତା ଦିଆଯାଉଥିବା ବେଳେ ଅନେକ ଉଠା ଦୋକାନୀ ଓ ବୁଲା ବିକାଳି ଏଥିରୁ ବଞ୍ଚିତ ହେଉଛନ୍ତି। ତେଣୁ ସରକାର ସମସ୍ତଙ୍କୁ ପଞ୍ଜୀକୃତ କରାଇ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅଣସଙ୍ଗଠିତ ଶ୍ରମିକ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଅନୁଗୁଳ ପୌରାଞ୍ଚଳରେ ମୋଟ୍ ୨୨୧ ଜଣ ପଞ୍ଜୀକୃତ ଉଠା ଦୋକାନୀ ରହିଛନ୍ତି। ବାସ୍ତବରେ କିନ୍ତୁ ଏହି ସଂଖ୍ୟା ଢେର୍ ଅଧିକ । ପଞ୍ଜିକରଣ କରିପାରିନଥିବା ଉଠା ଦୋକାନୀ ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି। କରୋନା କାଳରେ ସେମାନଙ୍କ ଦୁଃଖ, ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ସହରାଞ୍ଚଳର ସମସ୍ତ ଉଠା ଦୋକାନୀ ଓ ବୁଲା ବିକାଳିଙ୍କୁ ପଞ୍ଜୀକୃତ କରିବାକୁ ଦାବି ହୋଇଛି। ଏଥିସହିତ ଭେଣ୍ଡିଂ ଜୋନ୍ କରି ସମସ୍ତ ଉଠା ଦୋକାନୀଙ୍କୁ ଥଇଥାନ କରାଯାଉ, ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ସହ ୨୦ ହଜାର ଟଙ୍କାର ଋଣ ପ୍ରଦାନ କରାଯାଉ, ସମସ୍ତ ଉଠା ଦୋକାନୀଙ୍କୁ ଅଣସଙ୍ଗଠିତ ଶ୍ରମିକ କାର୍ଡ ପ୍ରଦାନ କରି ସେମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ବିବାହ ସହାୟତା ରାଶି ଯୋଗାଇ ଦେବାକୁ ଅଣ ସଙ୍ଗଠିତ ଶ୍ରମିକ କଂଗ୍ରେସର ଜିଲ୍ଲା ଅଧ୍ୟକ୍ଷ ଅକ୍ଷୟ କୁମାର ବିଶୋଇ ଓ ଜିଲ୍ଲା ସଂଯୋଜକ ରଶ୍ମିରଞ୍ଜନ ସାହୁ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୬ ଦଫା ସମ୍ବଳିତ ଦାବିପତ୍ର ଶୁକ୍ରବାର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।