ଅନ୍ୟାନ୍ୟ

ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା

By Angul TV Bureau

August 14, 2021

ଅନୁଗୁଳ: ଜମି ଅଧିଗ୍ରହଣକୁ ୧୫ ବର୍ଷରୁ ଊର୍ଦ୍ଧ୍ବ ସମୟ ବିତିବା ସତ୍ତ୍ବେ ଚାକିରି ମିଳିଲାନି। ଛେଣ୍ଡିପଦା ବ୍ଲକରେ ଥିବା ଜେଏସ୍‌ପିଏଲ୍‌ କମ୍ପାନି ବିରୁଦ୍ଧରେ ସାନକେରଜାଙ୍ଗ ଗ୍ରାମର ନିରଞ୍ଜନ ମହାପାତ୍ର ଏଭଳି ଅଭିଯୋଗ କରି ସପରିବାର ଶୁକ୍ରବାର ଜିଲ୍ଲା କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ। ନିରଞ୍ଜନ ଅଭିଯୋଗ କରିଥିଲେ, ୨୦୦୫ ମସିହାରେ ଜେଏସ୍‌ପିଏଲ୍‌ କାରଖାନା ସ୍ଥାପନ ପାଇଁ ଜମି ଅଧିଗ୍ରହଣ ହୋଇଥିଲା। ଏଥିରେ ତାଙ୍କ ବାପା ନେଙ୍କୁରୀ ମହାପାତ୍ରଙ୍କ ୩ ଏକର ଜମି ଅଧିଗ୍ରହଣ କରିଥିଲା କମ୍ପାନି। ଅଧିଗ୍ରହଣ ନିୟମ ଅନୁସାରେ ଜମିହରା ପ୍ରଜାଙ୍କୁ କ୍ଷତିପୂରଣ ରାଶି ମିଳିଥିବା ବେଳେ ନିଯୁକ୍ତି କିନ୍ତୁ ଦିଆଯାଇନାହିଁ । ଫଳରେ ନେଙ୍କୁରୀଙ୍କ ପରିବାର ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ନିରଞ୍ଜନଙ୍କୁ ଚାକିରି ଦେବା ପାଇଁ ସେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ହେଁ କମ୍ପାନି କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିଲେ । ବାଧ୍ୟହୋଇ ଶୁକ୍ରବାର ପୂର୍ବାହ୍ନରେ ତାଙ୍କ ପରିବାର ଲୋକ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ପ୍ରାୟ ଘଣ୍ଟାଏ କାଳ ଧାରଣାରେ ବସିବା ପରେ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ବାସୁଦେବ ଶତପଥୀ ଧାରଣାରତ ପରିବାରକୁ ତାଙ୍କ କାର୍ଯ୍ୟାଳୟକୁ ଡାକିଥିଲେ । ଆସନ୍ତା ୨୭ ତାରିଖ ଦିନ କମ୍ପାନି କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ବୈଠକ ମାଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଥିଲେ। ଏହି ପ୍ରତିଶ୍ରୁତି ପାଇବା ପରେ ନିରଞ୍ଜନଙ୍କ ପରିବାର ଧାରଣାରୁ ଓହରିଥିବା ଜଣାପଡ଼ିଛି।