ଅନ୍ୟାନ୍ୟ

ମୃତ ସୁରକ୍ଷାକର୍ମୀଙ୍କ ପତ୍ନୀଙ୍କୁ ନିଯୁକ୍ତି ଦାବି: ଏମ୍‌ସିଏଲ୍‌ ଜିଏମ୍ କାର୍ଯ୍ୟାଳୟରେ ଧାରଣା

By Angul TV Bureau

September 25, 2021

ଅନୁଗୁଳ: ମୃତ ଘରୋଇ ସୁରକ୍ଷାକର୍ମୀଙ୍କ ପତ୍ନୀଙ୍କୁ ନିଯୁକ୍ତି ଦାବି କରି ଶୁକ୍ରବାର ଏମସିଏଲ ଜଗନ୍ନାଥ କୋଇଲା କ୍ଷେତ୍ରର ମହାପ୍ରବନ୍ଧକଙ୍କ କର୍ଯ୍ୟାଳୟ ସମ୍ମୁଖରେ ଘଣ୍ଟପଡ଼ା ଗ୍ରାମବାସୀଙ୍କ ସହ ମୃତକଙ୍କ ପତ୍ନୀ ଧାରଣା ଦେଇଥିଲେ। ତାଳଚେର ବ୍ଲକ୍ ଘଣ୍ଟପଡ଼ା ଗ୍ରାମର ସୁଶୀଲ ସାହୁ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟରତ ଥିବା ସମୟରେ ୨୦୧୯ ମସିହା ଅଗଷ୍ଟ ମାସ ୨୬ ତାରିଖରେ ପ୍ରାଣହାନି ଘଟିଥିଲା। ତାଙ୍କ ମୃତ୍ୟୁ ପରେ ବିଧବା ପତ୍ନୀ ମନୋରମାଙ୍କୁ ନିଯୁକ୍ତି ଦିଆଯିବା ପାଇଁ ପ୍ରତିଶ୍ରୁତି ମିଳିବା ପରେ ସେ ଆବଶ୍ୟକ କାଗଜପତ୍ର କାର୍ଯ୍ୟାଳୟରେ ଦାଖଲ କରିଥିଲେ। ବାରମ୍ବାର ଦାବି ଆପତ୍ତି କରିବା ସତ୍ତ୍ବେ ୨ ବର୍ଷ ବିତିଯାଇଥିଲେ ନିଯୁକ୍ତି ପ୍ରଦାନରେ ଖଣି କର୍ତ୍ତୃପକ୍ଷଙ୍କ କାଳକ୍ଷେପଣ ନୀତି ଗ୍ରହଣ କରିଛନ୍ତି । ଏହାର ପ୍ରତିବାଦରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆଜି ପୂର୍ବାହ୍ନରୁ ଧାରଣାରେ ବସିଥିଲେ ଗ୍ରାମବାସୀ । ତେବେ ଆସନ୍ତା ଅକ୍ଟୋବର ୮ ତାରିଖ ସୁଦ୍ଧା ଘରୋଇ ସୁରକ୍ଷାକର୍ମୀ ଭାବେ ନିଯୁକ୍ତି ଦିଆଯିବା ନେଇ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ସମିତିସଭ୍ୟା ସରୋଜିନୀ ବେହେରା, ନାଏବ ସରପଂଚ ଉର୍ମିଳା ଦେହୁରୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାଜକିଶୋର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କ୍ଷୀରୋଦ ସାହୁ, ପୂର୍ବତନ ସରପଂଚ ସୁନୀଲ ବିଶ୍ଵାଳ, ଗ୍ରାମ୍ୟ କମିଟି ସଭ୍ୟ ଦୁଃଶାସନ ସାହୁ, କରୁଣାକର ସାହୁ, ମନୋଜ ସାହୁଙ୍କ ସମେତ ଶତାଧିକ ଗ୍ରାମବାସୀ ଧାରଣାରେ ସାମିଲ ଥିଲେ।