ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ବିଜେପିର ଆଭ୍ୟନ୍ତରୀଣ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଓ ଦଳର କିଛି ବରିଷ୍ଠ ନେତାଙ୍କ ମଧ୍ୟରେ ଉପୁଜିଥିବା ବିବାଦ ରାଜନୈତିକ ସରଗରମ ବଢ଼ାଇ ଦେଇଛି।
ବଅଁରପାଳ ବ୍ଲକରେ ପ୍ରଶାସନିକ ଦୁର୍ନୀତି ଓ ‘ପିସି’ କାରବାରକୁ ନେଇ ପୂର୍ବତନ ଜିଲ୍ଲା ଉପସଭାପତି ଅମୀୟ ତ୍ରିପାଠୀ ଓ ସକ୍ରିୟ କର୍ମୀ ବିଷ୍ଣୁ ବେହେରା ବ୍ଲକ ଘେରାଉ କରିଥିଲେ। ଏହି ଘଟଣାରେ ବିଧାୟକଙ୍କ ସମ୍ପୃକ୍ତି ଥିବା ନେଇ ସେମାନେ ସିଧାସଳଖ ଅଭିଯୋଗ ଆଣିଛନ୍ତି। ଏହାପରେ ବିଧାୟକଙ୍କ ସମର୍ଥକମାନେ ଉକ୍ତ ଦୁଇ ନେତାଙ୍କୁ ଦଳରୁ ବହିଷ୍କାର କରିବାକୁ ଦାବି କରିଛନ୍ତି।
ସେପଟେ, ‘ଅଗସ୍ତି ସେନା’ ନାମକ ଏକ ସୋସିଆଲ ମିଡିଆ ଆକାଉଣ୍ଟରୁ ଜିଲ୍ଲା ସଭାପତି ଯଯାତି ପଟନାୟକଙ୍କୁ ଟାର୍ଗେଟ କରାଯାଇ ଅଶାଳୀନ ମନ୍ତବ୍ୟ ଦିଆଯାଉଛି। ଘର କଳି ଏବେ ସର୍ବସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିବାରୁ, ଦଳୀୟ ଶୃଙ୍ଖଳା ଓ ଭବିଷ୍ୟତକୁ ନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତା ବଢ଼ିବାରେ ଲାଗିଛି। ଦଳୀୟ ନେତୃତ୍ୱ ଏହି ବିବାଦର ସମାଧାନ କିଭଳି କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର।