ଅନ୍ୟାନ୍ୟ

ଜବରଦଖଲ ଉଚ୍ଛେଦ କରି ଡ୍ରେନର ପୁନରୁଦ୍ଧାର ପାଇଁ ଉପଜିଲ୍ଲାପାଳଙ୍କୁ ଦାବି

By Angul TV Bureau

July 17, 2022

ତାଳଚେର/ଅନୁଗୁଳ : ତାଳଚେର ବ୍ଲକ ବହ୍ଲର ଛକ ଠାରୁ ଥର୍ମାଲ ପର୍ଯ୍ୟନ୍ତ ରାଜପଥର ଉଭୟ ପାର୍ଶ୍ଵର ଡ୍ରେନର ପୁନରୁଦ୍ଧାର ନିମନ୍ତେ ଶନିବାର ସନ୍ଥପଡ଼ା ସରପଞ୍ଚ ସହଦେବ ସାହୁଙ୍କ ନେତୃତ୍ୱରେ ଗ୍ରାମବାସୀ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ଗ୍ରାମବାସୀଙ୍କ କହିବାନୁସାରେ, ଗତ ୧୦ ବର୍ଷ ହେବ ୧୪୯ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଥିବା ଡ୍ରେନକୁ କିଛି ବ୍ୟକ୍ତି ଜବରଦଖଲ କରିଛନ୍ତି। ଫଳରେ ମଇଳା ପାଣି ନିଷ୍କାସିତ ହୋଇ ନପାରି ବହ୍ଲର ଛକ ଠାରୁ ଆନନ୍ଦ ବଜାର ପର୍ଯ୍ୟନ୍ତ ଘର, ଦୋକାନ ଗୃହ, ଗଡ଼ତଳ କଲେଜ, ସ୍କୁଲ ଏବଂ ନୂଆପଡ଼ା ହରିଜନ ସାହିରେ ପଶୁଛି। ଏହାଦ୍ୱାରା ଜାତୀୟ ରାଜପଥ ନଷ୍ଟ ତଥା ଛୋଟ ବଡ଼ ଦୁର୍ଘଟଣାମାନ ଘଟୁଛି।

ଏନେଇ ଗତ ମେ ମାସରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଏଣୁ ପୁଣିଥରେ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ବେଳେ ସରପଞ୍ଚ ସହଦେବ ସାହୁ, ୱାର୍ଡ଼ ସଭ୍ୟ ଶୁଭଶ୍ରୀ ନାଏକ, ଇତନୁ ଭୁକ୍ତା, ଶିବରାମ ମହାନ୍ତି, ଜର୍ମାନୀ ସାମଲ ପ୍ରମୁଖ ଉପସ୍ଥିତ ରହି ତାଳଚେର ଉପଜିଲ୍ଲାପାଳ ବିଶ୍ୱରଞ୍ଜନ ରଥଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।