ଅନୁଗୁଳ: ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ସମସ୍ତ ପାସେଞ୍ଜର ହଲ୍ଟ ଏବଂ ଷ୍ଟେସନକୁ ଉଭୟ ପାର୍ଶ୍ବରୁ ସଡ଼କ ନିର୍ମାଣ ପାଇଁ ଢେଙ୍କାନାଳ ସାଂସଦ ମହେଶ ସାହୁ ଦାବିକରିଛନ୍ତି । କେତେକ ଷ୍ଟେସନ ଓ ପାସେଞ୍ଜର ହଲ୍ଟକୁ ଗୋଟିଏ ପାର୍ଶ୍ବରୁ ସଡ଼କ ନିର୍ମାଣ ହୋଇଥୁବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଣଓସାରିଆ ସଡ଼କ ଯୋଗୁଁ କେତେକ ସ୍ଥାନରେ ଷ୍ଟେସନ ଅଞ୍ଚଳରେ ଟ୍ରାଫିକ ସମସ୍ୟା ଉପୁଜୁଥିବା ଦେଖାଯାଇଛି। ସେହିପରି ଅନଗୋଳ ବୁଢାପଙ୍କ- ସୁକିନ୍ଦା ରେଳପଥ ଓ ତାଳଚେର-ବିମଳାଗଡ଼ ରୁଟ୍ରେ ଷ୍ଟେସନ ଗୁଡିକୁ ସଡ଼କ ନିର୍ମାଣ କ୍ଷେତ୍ରରେ ବିଳମ୍ବ କରାଯାଉଥିବା ଦେଖିବାକୁ ମିଳୁଛି। ରେଳବାଇ ତରଫରୁ ତାଳଚେର ଥର୍ମାଲ ପାସେଞ୍ଜର ହଲ୍ଟଠାରୁ ତାଳଚେର ଷ୍ଟେସନ ରୁଟରେ ହାଣ୍ଡିଧୂଆଁ ନବନିର୍ମିତ ଓଭରବ୍ରିଜ୍ ପର୍ଯ୍ୟନ୍ତ ରେଳପଥର ଉଭୟ ପାର୍ଶ୍ଵରେ ଓସାରିଆ ପିଚୁ ସଡ଼କ ନିର୍ମାଣର ପ୍ରତିଶ୍ରୁତିକୁ ୧୦ ବର୍ଷ ବିତିଯାଇଥିଲେ ମଧ୍ଯ ଏ ପର୍ଯ୍ୟନ୍ତ ହୋଇପାରିନାହିଁ । ତାଳଚେର ଷ୍ଟେସନରୁ ତାଳଚେର ଥର୍ମାଲ କଡ଼ଦେଇ ତାଳଚେର ରୋଡ଼ ଷ୍ଟେସନ ପର୍ଯ୍ୟନ୍ତ ଯାଇଥିବା ସଡ଼କର ବିକାଶ ପାଇଁ ଦୀର୍ଘଦିନ ହେଲା ଦାବି ହୋଇଆସୁଛି।