ମୁଖ୍ୟ ଖବର

ସବୁଜ ମୁଣ୍ଡିଆକୁ ଧୂଳିସାତ୍‌ କରିବାକୁ ଚକ୍ରାନ୍ତ, ପଥର ଖାଦାନ ପାଇଁ ଅନୁମୋଦିତ ଲିଜ୍‌କୁ ତୁରନ୍ତ ରଦ୍ଦ କରିବାକୁ ଜିଲ୍ଲାପାଳଙ୍କୁ ଦାବି

By Angul TV Bureau

April 22, 2022

ଅନୁଗୁଳ: ସବୁଜ ବନାନୀ ମୁଣ୍ଡିଆରେ ପଥର ଖାଦାନ ପାଇଁ ଦିଆଯାଇଥିବା ଲିଜ୍‌କୁ ତୁରନ୍ତ ରଦ୍ଦ କରିବାକୁ ଅନୁଗୁଳ ଜିଲ୍ଲାପାଳଙ୍କୁ ଦାବି କରିଛନ୍ତି ସ୍ଥାନୀୟ ଲୋକେଇପଶି ଗ୍ରାମବାସୀ। ଗ୍ରାମବାସୀଙ୍କ କହିବାନୁସାରେ, ପଥର ଖାଦାନ ପାଇଁ ଅନୁମତି ଦିଆଯାଇଥିବା ମୁଣ୍ଡିଆକୁ ଗାଁ ଲୋକମାନେ ମିଶି ସବୁଜ ବନାନୀରେ ରୂପାନ୍ତରିତ କରିଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଏଠାରେ ହଜାର ହଜାର ବୃକ୍ଷ ରୋପଣ କରାଯାଇ ନୂତନ ଜଙ୍ଗଲ ସୃଷ୍ଟି କରାଯାଇଛି।

କିନ୍ତୁ ଏବେ ଶାସନ ବଜାର ନଗେନ୍‌ କୁମାର ସାହୁଙ୍କୁ ତହସିଲଦାର ଏଠାରେ ପଥର ଖାଦାନ ପାଇଁ ଲିଜ୍‌କୁ ଅନୁମତି ଦେଇଛନ୍ତି। ଏଠାରେ ଦୀର୍ଘ ୨୦ ବର୍ଷ ହେଲାଣି ଗାଁ ଲୋକଙ୍କ ଅନୁରୋଧକ୍ରମେ ପଥର ଖାଦାନକୁ ବନ୍ଦ କରାଯାଇଥିଲା। କିନ୍ତୁ ଏବେ ସମସ୍ତଙ୍କ ଅଗୋଚରରେ ତହସିଲଦାର ନଗେନ୍‌ଙ୍କୁ ଏଠାରେ ପଥର ଖାଦାନ ପାଇଁ ଅନୁମତି ଦେଇଛନ୍ତି।

ଏଠାରେ ପଥର ଖାଦାନ କାର୍ଯ୍ୟକାରୀ ହେଲେ ସବୁଜ ବନାନୀ ମାଟିରେ ମିଶିଯିବ। ଏଥିସହ ଏହି ମୁଣ୍ଡିଆରେ କାହିଁ କେଉଁ କାଳରୁ ଗ୍ରାମବାସୀଙ୍କ ଆରାଧ୍ୟ ଦେବତା ବୃନ୍ଦାବନ ପୂଜା ପାଇ ଆସୁଛନ୍ତି। ପ୍ରତି ବର୍ଷ ଆଷାଢ଼ ମାସରେ ଏଠାରେ ନାମ ସଂକୀର୍ତ୍ତନ ହୋଇଥାଏ। ଗାଁ ଲୋକଙ୍କର ଏହା ଭକ୍ତି ଓ ଆସ୍ଥାର ପୀଠ। ଏଣୁ ଏଠାରେ ପଥର ଖାଦାନ ପାଇଁ ଦିଆଯାଇଥିବା ଲିଜ୍‌କୁ ତୁରନ୍ତ ରଦ୍ଦ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।