ପାଳଲହଡା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡରେ ଟାଟା ପାୱାର ଅଧୀନରେ ଥିବା ନୂତନ ମିଟର ସଂଯୋଗୀକରଣ କମ୍ପାନୀ (ଡି ଆଣ୍ଡ ବି) ଡିଜାଇନ ଆଣ୍ଡ ବିଲ୍ଡସ କାର୍ଯ୍ୟାଳୟକୁ ଖମାର ଅଞ୍ଚଳକୁ ସ୍ଥାନାନ୍ତର ନ କରିବାକୁ ପାଳଲହଡ଼ା ନାଗରିକ ମଞ୍ଚ ଦାବି କରି ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି।
ମଞ୍ଚର କହିବାନୁଯାୟୀ, ୨୦୧୯ ମସିହାରେ ପାଳଲହଡ଼ା ଉପଖଣ୍ଡରେ ଟାଟା ପାୱାର ବିଦ୍ୟୁତ୍ ଦାୟିତ୍ଵ ନେଇଥିବା ବେଳେ କମ୍ପାନୀ ଅଧୀନରେ ପାଞ୍ଚଟି ସଂସ୍ଥା ଠିକା ଭାବରେ କାର୍ଯ୍ଯ କରୁଛନ୍ତି। ଇନଫେରିଆ ଠିକା ସଂସ୍ଥା ମେଣ୍ଟେନାନ୍ସ ଦାୟିତ୍ଵ, ଡି ଆଣ୍ଡ ବି ଠିକା ସଂସ୍ଥା ମିଟର ସଂଯୋଗ ଓ ବିଦ୍ୟୁତ୍ କାଟ ଦାୟିତ୍ଵ ଓ ଶ୍ୟାମ ପାୱାର ନାମକ ଠିକା ସଂସ୍ଥା ବିଦ୍ୟୁତ୍ ବିଲ ଆଦାୟ ଦାୟିତ୍ଵ ଠିକା ଭାବରେ ଟାଟା ପାୱାର ଠାରୁ ପାଇଛନ୍ତି। ପୂର୍ବରୁ ଶ୍ୟାମ ପାୱାର କମ୍ପାନୀ ନାମକ ଏକ ଠିକା ସଂସ୍ଥାକୁ ନୂତନ ବିଦ୍ୟୁତ ସଂଯୋଗୀକରଣ ତଥା ମିଟର ସ୍ଥାପନ ନିମନ୍ତେ ଦିଆଯାଇଥିଲା।
ବର୍ତ୍ତମାନ ଶ୍ୟାମ ପାୱାର କମ୍ପାନୀ ବଦଳରେ ଡି ଆଣ୍ଡ ବି ନାମକ ସଂସ୍ଥାକୁ ନୂତନ ବିଦ୍ୟୁତ ସଂଯୋଗୀକରଣ ତଥା ମିଟର ସ୍ଥାପନ ନିମନ୍ତେ ଠିକା କାର୍ଯ୍ୟ ପ୍ରଦାନ କରାଯାଇଛି। ଏଣୁ ଏହି ନୂତନ ଠିକା ସଂସ୍ଥାର ଅଧିକାରୀ ପାଳଲହଡା ଉପଖଣ୍ଡ ସଦର ମହକୁମାରୁ ଖମାରକୁ ନିଜ କାର୍ଯ୍ୟାଳୟ ସ୍ଥାନାନ୍ତରିତ କରିବାକୁ ଚକ୍ରାନ୍ତ କରିଥିବା ଜଣାପଡ଼ିଛି।
ଏଣୁ ପାଳଲହଡ଼ା ନାଗରିକ ମଞ୍ଚ ପକ୍ଷରୁ ସଭାପତି ସନ୍ତୋଷ ଦେହୁରୀଙ୍କ ନେତୃତ୍ଵରେ ଶତାଧିକ ଅଞ୍ଚଳବାସୀ କାର୍ଯ୍ୟାଳୟ ସ୍ଥାନାନ୍ତରଣକୁ ବିରୋଧ କରି ଉପଜିଲ୍ଲାପାଳ ସୁଶାନ୍ତ କୁମାର ପତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାର ଏକାକିତା ନକଲ ପାଳଲହଡା ବିଧାୟକ, ଚାଇଁପାଳ ଟିପିସିଓଡିଏଲ ଜେନେରାଲ ମ୍ୟାନେଜର ଓ ପାଳଲହଡା ଟିପିସିଓଡିଏଲ ଏସଡିଓଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।
ଏ ନେଇ ପାଳଲହଡ଼ା ବିଦ୍ୟୁତ୍ ବିଭାଗ ଅଧିକାରୀ ଶୈଳେଶ ରଞ୍ଜନ ପଟେଲଙ୍କୁ ପଚାରିବାରୁ ଠିକା ସଂସ୍ଥା ଆମ ଅଧୀନରେ ନାହିଁ। ନିୟମ ଦୃଷ୍ଟିରୁ କାର୍ଯ୍ୟାଳୟ ଗୁଡିକ ସଦରମହକୁମାରେ ରହିବା କଥା କହିଥିଲେ ଏବଂ କାର୍ଯ୍ୟାଳୟ ସ୍ଥାନାନ୍ତରଣ ହେବାକୁ ନାପସନ୍ଦ କରିଥିବା ଜଣାଯାଇଛି।