ଅନ୍ୟାନ୍ୟ

ଦର ଦାମ୍ ବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

By Angul TV Bureau

August 05, 2022

ଅନୁଗୁଳ: ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସରକାରଙ୍କର ଦର ବୃଦ୍ଧି ରୋକିବା ପାଇଁ କୌଣସି ପ୍ରକାର ଉଦ୍ୟମ ନାହିଁ, ଫଳରେ ଦରବୃଦ୍ଧି ଯୋଗୁ ସାଧାରଣ ଲୋକ ହଇରାଣ ହେଉଛନ୍ତି। ଗରିବଙ୍କ ପ୍ରମୁଖ ଖାଦ୍ୟ ଚୁଡା ଓ ମୁଢ଼ି଼ରେ ବି ଏ ସରକାର ଜିଏସଟି ଲଗାଇ ଅହେତୁକ ଦରବୃଦ୍ଧି କରିଛନ୍ତି। ସେହିପରି ଘରୋଇ ସିଲିଣ୍ଡରର ଦାମ୍ ମଧ୍ୟ ବଢ଼ିଛି ବୋଲି ଏ ଅବସରରେ କଂଗ୍ରେସ ଅଭିଯୋଗ କରିଥିଲା।

ଯିଏ କେନ୍ଦ୍ର ସରକାର ବିରୁଦ୍ଧରେ ମୁହଁ ଖୋଲୁଛି, ତା ବିରୁଦ୍ଧରେ ଇଡି, ସିବିଆଇ ଚଢ଼ଉ କରାଯାଇ ମୁହଁ ବନ୍ଦ କରି ଦିଆଯାଉଛି। ଏଭଳି ଏକଛତ୍ରବାଦୀ ସରକାରକୁ ଜନ ସାଧାରଣ ଉଚିତ ଜବାବ ଦେବା ପାଇଁ କଂଗ୍ରେସ ନିବେଦନ କରିଛି। ଏ ଅବସରରେ ଶହ ଶହ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ କଂଗ୍ରେସ ଭବନଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସ୍ଥିତି ଅଣାୟତ୍ତ ହେବାରୁ ଶତାଧିକ କଂଗ୍ରେସ କର୍ମୀଙ୍କୁ ଗିରଫ କରାଯାଇଥିବା ବେଳେ ପରେ ଛାଡି ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଦଳର ସମସ୍ତ ଜିଲ୍ଲା କର୍ମକର୍ତ୍ତା, ସମସ୍ତ ଛାମୁଆଁ ସଙ୍ଗଠନର କର୍ମକର୍ତ୍ତା, ସମସ୍ତ ବ୍ଲକ କଂଗ୍ରେସ ସଭାପତି ଓ କର୍ମକର୍ତ୍ତା, ଛାତ୍ର, ଯୁବ, ମହିଳା ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।